ମଧୁର ଯନ୍ତ୍ରଣା
ମଧୁର ଯନ୍ତ୍ରଣା
ତୁ ଏକ ମଧୁର ଯନ୍ତ୍ରଣା
ସେଇଟା କଷ୍ଟ ତ ଲାଗେ
ତଥାପି ସେ ଯନ୍ତ୍ରଣାରେ
ତୋର ଭଲ ପାଇବାଟା
ଲିପି ହେଇଯାଏ ମୋ
ମୋ ମାନସ ପଟର
ନିଦାଘ ବୈଶାଖରେ
ଜଳିପୋଡ଼ି ପାଉଁଶ ହେଇ ଯାଉଥିବା
ମୋ ଭଙ୍ଗା ରୁଜା ସ୍ବପ୍ନ ଗୁଡ଼ା
ପୁଣି ଜୀଇଁ ଉଠନ୍ତି
ବୈଶାଖର ନିଦାଘରେ
ଝାଉଁଳି ଯାଇଥିବା ଲତାଟିଏ
ଆଦ୍ୟ ଆଷାଢ଼ର ପହିଲି ଠୋପାରେ
ପୁଲ୍ଲକିତ ହେଲା ଭଳି
ତୁ ମୋ ପାଇଁ ଦୁଃଖର ନଈ ଟିଏ
ତଥାପି ତୋ ପଠାରେ
ଖେଳିବାକୁ ଭଲ ଲାଗେ
ଭଲ ଲାଗେ ତୋ ଦେହର
ବାଲୁକା ରାଶିରେ ନିଜକୁ ହଜେଇ
ଟିକିଏ ଉଷୁମ ଟାଣିବା ପାଇଁ
ଭଲ ଲାଗେ ତୋ ଦେହର ତରଙ୍ଗରେ
ଆକାଶକୁ ଛାତି କରି
ଶୀତଳ ପରସ ଟିକେ ପାଇବାକୁ
ଆଉ ଭାସି ଭାସି ଯିବା ପାଇଁ
ଦୂରକୁ ବହୁ ଦୂରକୁ
ତୁ ମୋ ପାଇଁ ଲୁହର ସାଗର ଟିଏ
ତଥାପି ତୁ ଭଲ ଲାଗୁ
ଲୁହରେ ଭିଜି ଗଲା ପରେ
ପ୍ରୀତିର ଫଗୁଣ ଗୁଡ଼ା ଅବିର ହେଇ
ଇନ୍ଦ୍ରଧନୁ
ସୃଷ୍ଟି କରନ୍ତି
ମୋ ଲୁହରେ ମିଶିଗଲା ପରେ
ମନଟା ଟିକିଏ ହାଲ୍'କା ହେଇ ଯାଏ
କରୁଣ୍ୟତାର ଚିତ୍ର ସବୁ
ଲୁଚି ଲୁଚି ଯାଏ
ଅନନ୍ତ ଗଗନର ଦିଗନ୍ତରେ
ତାରା ଗୁଡ଼ା ଲୁଚି ଯିବା ପରି
ତୁ ଲୁହ ହେଇ ଝରି ଗଲା ପରେ
ତୁ ମୋ ପାଇଁ ପାହାନ୍ତି ଉଷା ଟିଏ
ଵିନିଦ୍ର ରଜନୀର
ପାହାନ୍ତି ନିଦ ହେଇ
ସ୍ୱପ୍ନର ସମ୍ଭାର ତୋଳୁ
ଆଦ୍ୟ ରଶ୍ମି ପାତ ପର୍ଯ୍ୟନ୍ତ
ଆଶାର ଆଲୋକ ଟିଏ ହେଇ
ଇନ୍ଦ୍ରମହଲ୍ ସୃଷ୍ଟି କରୁ
ପ୍ରଚଣ୍ଡ ରୌଦ୍ରତାପର
ବିକିରଣ ହେଇ
ପୁଣି ଦାରୁଣତାର ତପ୍ତ
ରଶ୍ମିପାତ ପର୍ଯ୍ୟନ୍ତ
ହେ ଅନାଗତ!
ଏ କଣ ଜୀବନର ଅନ୍ତ
ନା! ଆଗକୁ ଆସୁଚି ଦେଖ
ପାହାନ୍ତି ଉଷାର ଉଦୟ ଲଗ୍ନର
ସୁନେଲି କିରଣରେ
ସଜେଇ ହେଇ
ବର୍ଣ୍ଣ ବୈଭବରେ
ଆଶାର ସମ୍ଭାର ନେଇ
ତୋଳି ବାକୁ ଇନ୍ଦ୍ର ଭୁବନ
ତୋ ସ୍ଵପ୍ନରେ ବୁଢୀ ଅସୁରୁଣୀର
ଭୟଂକର ଦୃଶ୍ୟ ସାଜିବାକୁ ।