ମାୟା ସଂସାର
ମାୟା ସଂସାର
ମୋହ ମାୟା ଏଇ ସଂସାର ଭିତରେ
ଆପଣାର କେହି ନୁହଁ
ସ୍ୱାର୍ଥ ସାରିଗଲେ ସମସ୍ତେ ଫେରିବେ
ଅନେଇବେ ନାହିଁ ମୁହଁ ।
ସମ୍ପର୍କର ମାନେ ପାଇବାର ଆଶା
ମିଳିବାର କିଛି ଥିବ
ମିଳିଗଲା ପରେ ସମ୍ପର୍କର ଡୋରି
ଆପେ ଆପେ ଛିଡିଯିବ ।
ସବୁ ଏଠି ମୋହ ସବୁ ଏଠି ମାୟା
ସବୁ ଯେ ଅଢେଇ ଦିନ
ସରିଗଲା ପରେ ସ୍ୱାର୍ଥ ସଭିଙ୍କର
ଫେରିଯିବେ ଗୋଟେ ଦିନ ।
ମିଛ ହସ ଏଠି ସଭିଙ୍କ ଓଠରେ
ନୂଆ ସମ୍ପର୍କକୁ ଗଢେ
ସ୍ୱାର୍ଥ ଯେତେଦିନ ପୂରଣ ତ ହୁଏ
ସମ୍ପର୍କ ସେତିକି ବଢେ ।
କେହି ରହିବେନି ଲୁହ ପୋଛିବାକୁ
ସମସ୍ତେ ଚାହିଁବେ ଦୁଃଖ
ଆସିବେ ସମସ୍ତେ ଖୁସି ଥିଲା ବେଳେ
ଥିବ ଯେତେବେଳେ ସୁଖ ।
ଉପରେ ତ ଭଲ କହି ବୁଲୁଥିବେ
ଭିତରେ କାଟିବେ ଚେର
ସରିଗଲା ପରେ ପଇସା ପାଖରୁ
କରିବେ ସଭିଏଁ ପର ।
ସାହାଯ୍ୟ ମାଗିଲେ କେହି ଆସିବେନି
କେତେ କଥା କହୁଥିବେ
କୁଅରେ ବେଙ୍ଗଟେ ପଡିଗଲା ପରେ
ପଥର ଯେ ମାରୁଥିବେ ।
ଅନ୍ଧ ହୋଇକରି ବିଶ୍ୱାସ କାହାକୁ
କରିଲେ ଖାଇବ ଧୋକା
ମାୟା ସଂସାରରେ କିଏ ବା କାହାର
ଖୋଜନ୍ତି ଖାଲି ମଉକା ।
ସଭିଏଁ ତ ଏଠି ସୁଖର ସାଥି ଯେ
ଦୁଃଖ ସାଥି କେହି ନୁହଁ
ଅନ୍ୟ ଖୁସି ଯେବେ ପୂରଣ ନ ହେବ
ଚାହିଁବେନି କେହି ମୁହଁ ।
ମାୟାର ସଂସାରେ ମୋହ ଲଗାଅନି
ସଭିଏଁ ତ ଏଠି ପର
ସଭିଏଁ ତ ଏଠି ସ୍ୱାର୍ଥ ପାଇଁ ବନ୍ଧା
କିଏ ବା ହେବ ନିଜର ।