STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ମାଟିର ମହକ

ମାଟିର ମହକ

1 min
443


ଆଜି ଧିରେ ଧିରେ ହଜିଯାଉଛି

ଗାଁ ମାଟିର ମଧୁର ମହକ

ସବୁଜ କ୍ଷେତର ଶ୍ୟାମଳିମା

ଚାଷୀଭାଇର ମନଖୋଲା ହସ

ନଦୀପଠାର କାଶତଣ୍ଡୀ ଫୁଲ

ବାଡ଼ି ବଗିଚାର ମଧୁମାଳତୀ

କଇଁ ପୋଖରୀର କଉ ମାଛ

ବଣବିଲର ତାଳ ତମାଳ ଗଛ।

ଏଇ ହଜିଲାପଣରୁ ବାଦ ପଡିନି

ଆମ୍ବତୋଟାରେ କୋଇଲିର କୂଜନ

ପ୍ରାଣସ୍ପର୍ଶୀ ମନ୍ଦ ମଳୟ ପବନ

ଗ୍ରାମ ଦେବତୀଙ୍କ ପୀଠ ଗାଁ ମଶାଣି

ପାଣିମୁହାଁଣିର କାଚକେନ୍ଦୁ ପାଣି।

ହଜିଗଲାଣି ସନ୍ଧ୍ୟାର ସଞ୍ଜବତୀ

ଝୋଟି ଚିତା ଲକ୍ଷ୍ମୀପାଦ ମୁରୁଜ

ଦାଣ୍ଡ ଧୂଳି ରଜ ଦୋଳି ପୁଂଚି ଖେଳ

ପୋଡ଼ପିଠା ଗଜମଣ୍ଡା ଏଣ୍ଡୁରି କାକରା

ବୁଢ଼ା ଚକୁଳି ଗଇଁଠା ଆରିସାର ସ୍ବାଦ

ସମୟର ଉଜାଣିରେ ସବୁ ଇତିହାସ।

ପୁଣି ହଜି ହଜି ଯାଏ ଆଜି

ଝିଅ ବିଦା ବେଳର ବୁକୁଫଟା ଦରଦୀ ବାହୁନା

ବାହା ବ୍ରତ ଶ୍ରାଦ୍ଧ ପିଣ୍ଡରେ ଧାଡ଼ି ପଂଗତ

ମେଳା ମଉଛବରେ ଭୋଜିଭାତ ଜନ୍ତାଳ

ଚୁଡ଼ାଘଷା ବହଳ ଡାଲମାର ସରାଗ।

ଆଜି ଶାଗୁଆ କ୍ଷେତରେ ବିରାଜିତ

ଇଟା ପଥର ସିମେଣ୍ଟ ଲୁହା ମିଶ୍ରିତ ଇମାରତ

ନଦୀପଠାରେ ହୋଇଛି ଠିଆ ଧୂଆଁଳିଆ ସ୍ତୁପ

ମଶାଣି ଭୂଇଁରେ ନଭଶ୍ଚୁମ୍ବୀ ସୌଧ

ବଣବିଲ ଗଡ଼ିଆ ପୋଖରୀରେ କଂକ୍ରିଟ୍ ଜଙ୍ଗଲ

ତହିଁରେ ଅତୃପ୍ତ ରାକ୍ଷାସର ଅଖଣ୍ଡ ରାଜତ୍ବ।

ପିଲାଏ ଖେଳୁଛନ୍ତି ଆଜି ଭିଡିଓ ଗେମ୍

ପିଠାପଣାକୁ ଆବୋରିଛି କ୍ରିମ୍ ମଖା କେକ୍

ସଞ୍ଜ ସଳିତା ବଦଳେ ସୁବାସିତ ଧୂପକାଠି

ଝୋଟିଚିତାର ସ୍ଥାନରେ ଜରିଦିଆ ରଂଗୋଲି

ଧାଡିପଂଗତ ଜାଗାରେ ବଫେଟ୍ ଠିଆଖିଆ

ଜନ୍ତାଳ ନାଁରେ ମୋଗଲି ବିରିୟାନୀ

ସଂସ୍କୃତି ନାମରେ ଅପସଂସ୍କୃତିର ତାଣ୍ଡବ ନୃତ୍ୟ

ଆଉ ଏମିତି ଲମ୍ବିଛି ଏଇ ହିସାବର ଫର୍ଦ୍ଦ।

ସଭ୍ୟତା ନାମରେ ହାୟ କି ଦିନ

ଯେ ଆସିଲା ହଜିଗଲା ମୋ ଗାଁ

ମାଟିର ସ୍ନିଗ୍ଧ ମର୍ମସ୍ପର୍ଶୀ ମହକ

ଆଜି ସେଠି ହେଉଛି ଅନୁଭୂତ

ପାଶ୍ଚାତ୍ୟ ହନୁକରଣର ଅସହ୍ୟ ଡହକ।



Rate this content
Log in

Similar oriya poem from Tragedy