ମାଣବସା
ମାଣବସା
କାହିଁକି ଆଜି ଏ ଧରା ପୃଷ୍ଠରେ
ଗହଳ ଚହଳ ଲାଗିଲା
ଚନ୍ଦନ କର୍ପୂର ବାସ ମହକିଲା
ଶଙ୍ଖ ହୁଳହୁଳି କମ୍ପିଲା ।
ଶୁଭ୍ର ବର୍ଣ୍ଣ ଝୋଟି ପ୍ରତି ଦୁଆରରେ
କେତେ ଚମତ୍କାର ଦିଶିଲା
ଘନ କୁହୁଡିରେ ଶୀତ ପାହାନ୍ତିରେ
ଗଗନ ପବନ କମ୍ପିଲା।।
କ୍ଷୀରି ଖେଚୁଡ଼ିର ବାସ୍ନା ମହକିଲା
ଆକଣ୍ଠ ଗ୍ରାସିଲା ପବନ
ପୁର ପଲ୍ଲୀ ଠାରୁ ସହର ନଗର
ପ୍ରକମ୍ପିଲା ଲକ୍ଷ୍ମୀ ପୁରାଣ ।
ଘରେ ଘରେ ନାରୀ ବସାଇଲେ ମାଣ
ତାର ପାଖରେ ଧାନ ମେଣ୍ଟା
ପୂଜା ନୈବେଦ୍ୟରେ ଥାଳ ଭର୍ତ୍ତି କଲେ
ଏ ଗୁରୁ ବାର ମାଣବସା।
ମାତା ପଦ୍ମାଳୟା ଆସିଲେ ଧରାକୁ
ହୋଇଲା ମାର୍ଗଶିର ଧନ୍ୟ
କୋଟି ପ୍ରଣିପାତ ଚରଣେ ମାତା ଗୋ
ସର୍ବଦା ହୁଅ ତୁ ପ୍ରସନ୍ନ।।
