ମାଗିଖିଆ ଛୁଆ
ମାଗିଖିଆ ଛୁଆ
ସେଦିନ ବଜାର ବାହାରିଲା ବେଳେ
ପିଚ୍ଛା ଧରିଲା ମୋ ପୁଅ,
କହିଲା ବାପା ମୁଁ ତମ ସାଙ୍ଗେ ଯିବି
ପ୍ଲିଜ୍ ମୋତେ ଟିକେ ନିଅ।
ପୁରୁ୍ଣା ସ୍କୁଟି ମୋ ବାଟେ ଦଉଡୁଛି
ହଠାତ୍ ମୋ ପୁଅ କୁହେ,
ମାଗି ଖାଇବି ମୁଁ ମାଗି ଖାଇବି ମୁଁ
ଯିଦି ଧରି କାନ୍ଦୁଥାଏ।
କ'ଣ ଆମର ନାହିଁ ଆରେ ଧନ
ମାଗି ଖାଇବାକୁ କହୁ,
ଏତେ ବଡ଼ ଧନୀ,ଜ୍ଞାନୀ,ମାନୀ ବାପା
ପାଖେ ତୋର ଥାଉଁ ଥାଉଁ।
ଯୋଗକୁ ସେଠାରେ ବର୍ଫି ସିଷ୍ଟମରେ
ଖାଦ୍ୟପେୟ ଚାଲିଥାଏ,
କାଗଜ ଥାଳିକୁ ଧରି ଲୋକଙ୍କର
ଠେଲାପେଲା ଲାଗିଥାଏ।
କାଗଜ ଥାଳିଆ ଧରି ହୋଇ ଠିଆ
ଲୋକେ ଖାଉଥାନ୍ତି ମାଗି,
ମୁଁ ଯାହା ଭାବିଲି ପୁଅ ଏଇଠାରେ
ଖାଇବ ଧରିଛି ଯିଦି।
ବିନା ନିମନ୍ତ୍ରଣେ କେମିତି ଖାଇବୁ
ସେଇ କଥା ଭାବୁଥିଲି,
ତଥାପି ପୁଅର କାନ୍ଦ ମୁଁ ନ ସହି
ତମ୍ଵୁ ଭିତରକୁ ଗଲି ।
କହିଲି ପୁଅରେ ଯେତେ ଖାଇଯାଆ
ଏଠି ସେଠି ବୁଲିବୁଲି,
ପୁଅ କିନ୍ତୁ ପୁଣି ଅଧିକା କାନ୍ଦିଲା
ଦ୍ଵନ୍ଦରେ ମୁଁ ପଡ଼ିଗଲି।
କହିଲି ପୁଅରେ କାହିଁକି କାନ୍ଦିଲୁ
ନଖାଇ ଏଠାରେ ତୁହି,
ପୁଅ କହୁଅଛି ୟାକୁ ଖାଇବିନି
ମାଗି ଖାଇବି ତ ମୁହିଁ।
ହଠାତ୍ ରାଗିଲି ଚାପୁଡାଟି ଦେଲି
ପୁଅ କାନ୍ଦେ ଭେଁ ଭେଁ,
ଦେଖ୍ ଏଠି ସବୁ ମାଗି ଖାଉଛନ୍ତି
ଲାଗି ଖାଉଅଛି କିଏ?
ଗଲା ମୋ ଇଜ୍ଜତ ଜମିଗଲେ ଲୋକ
ମୁଁ ବି ଅଚିହ୍ନା ଲୋକ,
ବିନା ନିମନ୍ତ୍ରଣେ ଏଠିକୁ ଆସିଲି
(ଏହି)ଟୋକାପାଇଁ ଯେତେ ନାଟ।
ଅସହ୍ୟ ଏ କଷ୍ଟ ସହି ନ ପାରି ମୁଁ
ଘରକୁ ଫୋନ୍ କଲି,
ତା' ମାଆ ଫୋନ୍ ଉଠେଇଲା ଯେଣୁ
ବହେ ତାକୁ ଗାଳି ଦେଲି।
ଘରଣୀ ମୋହର କହିଲା ଶୁଣ ହେ
ବେକାରେ ରାଗୁଛ କାହିଁ,
ତମେ କି ଜାଣିନ ଦୋକାନରୁ ମ୍ଯାଗି
କିଣାଯାଏ କାହାପାଇଁ?
ମ୍ୟାଗି,କୁରୁକୁରେ,ପିଜା ଓ ପେଟିସି
ଚାଉମିନ୍,ଆଇସ୍କ୍ରିମ୍,
ଏସବୁ ଆଜିଠୁଁ ପୁଅ ଖାଇଲେ ତ
ଆଗକୁ ସେ ଯିବ ଜିମ୍।
ମ୍ଯାଗି ଖାଇବାକୁ ବେଶୀ ଭଲ ପାଏ
ତେଣୁ କାନ୍ଦିଥିବ ସିଏ,
ନବୁଝି ତା'କଥା ଟିଣ କର ମଥା
( ତମେ)ବେକାର ମଣିଷଟିଏ।
ହଁ,ମାଗିଖିଆ ଛୁଆ ତମେ ଜନ୍ମକଲ
ମୁଁ ହେଲି ବେକାର ଲୋକ,
ତମେ ମାଆ ପୁଅ ସଫା ଧୂଆମୂଳା
ମୋ'ଠିଁ ଲାଗିଛି ପୋକ।
କଥା ନ ସରୁଣୁ ଘରଣୀ ମୋହର
ଫୋନ୍ଟିକୁ ଦେଲା କାଟି,
ମୋର କିନ୍ତୁ ଲାଳ ପାଟିରୁ ଗଡିଲା
ଖାଇବାକୁ ବର୍ଫି ସେଠି।
ଥାଳିଆଟି ଧରି ବିଭିନ୍ନ ପ୍ରକାର
ଖାଦ୍ୟ ମାଗି ଖାଇଗଲି,
ମ୍ଯାଗି ଆଉ ମାଗି ଭିତରେ ତଫାତ
ଖାଉ ଖାଉ ଭାବୁଥିଲି।
ମ୍ଯାଗି ହେଉ ଅବା ମାଗି ଖାଇବାରେ
ଲାଗିଛି ପାଶ୍ଚାତ୍ୟ ଛାପ,
ଲାଗି ଲାଗି ବସି ଖାଇବାରେ ମିଳେ
ଆମ ପରମ୍ପରା ରୂପ।
ଆମ ଗାଆଁ ଜାତି ଭାଇ ପଙ୍ଗତକୁ
ଠିଆ ଠିଆ ଭାବୁଥିଲି,
ପିଲାଦିନ ମାଟି ହାଣ୍ଡି ପଖାଳକୁ
ମନେ ମନେ ଝୁରୁଥିଲି।
ତଳେ ପଡିଥିବ ବରଡା ଆସନ
ସାଙ୍ଗ ହୋଇ ବସିଥିବ,
କଦଳୀପତରେ ଯେ ଖାଦ୍ୟ ଖାଇବ
ଅଭଡାଠୁ ବଳିଯିବ ।
