ମାଆ
ମାଆ
ମାମା ମମି ବୋଉ ଅମ୍ମି ନାମ ଅନେକ
ସଭିଙ୍କ ପାଇଁ ହୃଦୟେ ତୋ ମମତା ଏକ।
ପ୍ରଥମ ଶବ୍ଦ ପ୍ରଥମ ଗୁରୁ ସଭିଙ୍କର
ରହିଛି ନିସ୍ୱାର୍ଥପର ସ୍ନେହଶ୍ରଦ୍ଧା ତୋର।
ମା ନାମ ମଧୁର ଅତି ଅମୃତ ସମାନ
ଟିକେ ନଦେଖିଲେ ବିଚଳିତ ହୁଏ ମନ।
ଘରେ ପଶୁପଶୁ ପ୍ରଥମେ ତତେ ମୁ ଖୋଜେ
ଘରେ ନଥିଲେ ତୁ ମନଟା ଅବୁଝା ସାଜେ।
ଅବାଟରେ ଗଲେ ମୁହିଁ ବାଟ ତୁ ଦେଖାଉ
ଗେଲ କରି କୋଳେ ବସାଇ ଦେଉ ଖୁଆଇ।
ତୁ ଏ ଦୁନିଆର ସବୁଠୁ ଶ୍ରେଷ୍ଠ ଅବତାର
କୋଟି ସ୍ୱପ୍ନର ଗନ୍ତାଘର ଏ ବ୍ରହ୍ମାଣ୍ଡର।
ପିଲାବେଳେ ତୁହି ଝିଟିପିଟି ଦେଖି ଡରୁ
ତୋର ପିଲା ପାଇଁ କୁମ୍ଭୀର ସାଙ୍ଗରେ ଲଢ଼ୁ।
ମୁହଁ ପୋଛିଦେଲେ ତୋହରି କାନି ପଣତେ
ସରଗ ସୁଖ ମିଳିଯାଏ ଏହି ମରତେ।
ସେନେହ ମମତାରେ ଭରା ହୃଦୟ ତୋର
ବାବୁନି ଡାକିଦେଲେ ଲାଗେ କେଡେ ମଧୁର।
କେତେ ବା ଲେଖିବି କଣ ଦେଇକି ଉପମା
ତୁ ମୋ ଜୀବନର ଚଳନ୍ତି ଦେବୀ ପ୍ରତିମା।
