ମାଆ
ମାଆ
ମାଆ ମୋ କହିଲା ମାଆ ବୋଲି ତୋତେ
ତୋତେ ମୁଁ ଡାକିଲି ମାଆ,
ମାରିଲି ମୁଣ୍ଡିଆ ମଥା ମୋ ପାତିକି
ହବୁ କି ମାଆ ଲୋ ସାହା ।
ସନ୍ତାନ ଜନମ ହେଇଥିବା ଦିନ
କୁଆଁ କୁଆଁ କାନ୍ଦ ଶୁଣି ,
ହସି ଥିଲା ମାଆ ବେଦନା ତା ଭୁଲି
ଆଖିରୁ ପୋଛିକି ପାଣି ।
ଆଉ କି ହସିବ ଛୁଆ ତା' କାନ୍ଦିଲେ
ମା' ମରମ ଯାଏ ଜଳି ,
କେମିତି ତୁ ମାଆ ନିରବେ ରହୁଛୁ
ମୋ ଲୁହ ପଡ଼ିଲେ ଝରି ।
ତା ଦେହରୁ ଗଢ଼ା ମୋ ଦେହଟା ବୋଲି
ସହି ପାରୁନି ସେ ଦୁଃଖ ,
ତୁ କେମିତି ମାଆ ରହି ପାରୁ କହ
ମୋ ଭାଗ୍ୟରେ ନାହିଁ ସୁଖ ।
ଆଜି ବୃଦ୍ଧା ମାଆ ବଞ୍ଚିବାର ରାହା
ଖୋଜେ ଦୁନିଆରେ ବୋଲି ,
ତୁ ସେମିତି ମାଆ ପାଷାଣ ପ୍ରତିମା
ରହିଛୁ ମନ୍ଦିର ଖୋଲି ।
ମାଆ ତ ମାଆ ସେ ସଭିଙ୍କର ମାଆ
ଯେମିତି କହନ୍ତି ତୋତେ ,
ସବୁ ମାଆ'କୁ ମୁଁ ତୋ' ପରି ପୂଜିଲେ
ତୁ ଚାହିଁବୁ ବୋଧେ ମୋତେ ।
