STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ଉଗ୍ର ତାରା

ମାଆ ଉଗ୍ର ତାରା

3 mins
247

ନୀଳ ନୀଳବର୍ଣ୍ଣା ନୀଳ ସରସ୍ଵତୀ

ନୀଳାମ୍ବରୀ ନୀଳତାରା

ନୀଳ ପଦ୍ମାସନା ମା ନୀଳ ନୟନା

ନିଳିମାରେ ହସେ ଧରା ।


ସତ୍ୟ ସନାତନୀ ନିତ୍ୟ ନିରଞ୍ଜନୀ

ପତିତ ତାରିଣୀ ମାତା

ରୁଦ୍ର ମୂର୍ତ୍ତି ଧରି ଶତୃ ବଂଶ ନାଶି

ଉଗ୍ର ତାରା ଭାବେ କ୍ଷାତା ।


ନୀଳାମ୍ବୁ ଚିଲିକା କୂଳରେ ରହିଛି

ଗାଁଆଟି ଭୁଷଣ୍ଡପୁର

ତାଳ ତମାଳ ରେ ଭରା ସେ ଗାଁଆ ରେ

ମାଆ ଙ୍କ ଭବ୍ୟ ମନ୍ଦିର।


କାହିଁ କେତେ ଶହ ବରଷ ତଳରୁ

ମାଆ ରହିଛନ୍ତି ତହିଁ

ଜଗତ ଜନଙ୍କୁ କୃପା ବାଣ୍ଟୁଛନ୍ତି

ମାଆ ମୋ କଲ୍ୟାଣମୟୀ ।


ଦେବୀ ଭାଗବତେ ହୋଇଛି ବର୍ଣ୍ଣନା

ମାଆଙ୍କ ଉତ୍ପତ୍ତି କଥା

ମହାବିଦ୍ୟା ଭାବେ ଉଦ୍ଭବ ହୋଇସେ

ବୁଝନ୍ତି ଭକତ ବ୍ଯଥା ।


ଶିବଙ୍କ ଦ୍ୱିତୀୟ ଗୁପ୍ତ ଅବତାର

‘ତାର’ ଭାବେ ଯେଣୁ କ୍ଷାତ

ଶିବଙ୍କ ଘରଣୀ ବୋଲି ସେତ ତାରା

ଜୟ ମା ଜଗତ ମାତ ।


ଜନମ ପ୍ରକ୍ରିୟା ମାଆ ଆରମ୍ଭିଲେ

ପୁରାଣରେ ଅଛି ଲେଖା

ସମୁଦ୍ର ମନ୍ଥନ କାଳେ ପୁଣି ମାଆ

ଧରଣୀରେ ଦେଲେ ଦେଖା ।


ବିଷ ଗରଳକୁ ପାନକରି ଶିବ

ହୋଇଗଲେ ଚେତା ଶୂନ୍ୟ

ଚେତା ଫେରିଲା ତ ପ୍ରଭୁ ଯେବେ କଲେ

ମାଆଙ୍କର ସ୍ତନ୍ୟ ପାନ ।


କହେ କିମ୍ବଦନ୍ତୀ ତାରନ୍ତି ବୋଲି ସେ

ନାମ ହେଲା ତାଙ୍କ ତାରା

ଉଗ୍ର ତାରା ଭାବେ ଉଗ୍ର ଅପବାଦୁ

ଦିଅନ୍ତି ମୁକତି ପରା ।


ଜ୍ଞାନ ଦାତ୍ରୀ ମାଆ ସାରା ଜଗତରେ

ଜ୍ଞାନର ଦୀପାଳି ଜାଳି

ଅଜ୍ଞାନ ଅନ୍ଧାର ତୁମେ ଦୟାମୟୀ

ଜଗତୁ ଦେଇଛ ଟାଳି ।


ଶାନ୍ତି ମୁକ୍ତି ଦାତ୍ରୀ କରୁଣାମୟୀ ଗୋ

ଭକତ ବତ୍ସଳା ମାଆ

ଶକ୍ତି ପ୍ରଦାଇନୀ ଅଭୟ ଦାୟିନୀ

ବିପଦେ ଆପଦେ ସାହା ।


ଅନନ୍ତ ଅସୀମ ମହିମା ତୁମର

ତୁମକୁ କରିଲେ ପୂଜା

ହଟଇ ବଇରୀ ଶତୃ ହତଶିରି

ଉଡାଅ ବିଜୟ ଧ୍ବଜା।


ମାଗୋ ଚତୁର୍ଭୁଜା ଦେବୀ ପଦ୍ମାସନା

ଅମୋଘ ସିଦ୍ଧି ଭୂଷିତା

ଜ୍ଞାନଦା ଧନଦା ସୁଖଦା ବରଦା

ଅଷ୍ଟ ମହା ଭୟ ହର୍ତ୍ତା ‌।


ତୁମେତ ତାରିଣୀ ସଙ୍କଟ ହାରିଣୀ

ଉଗ୍ରରୂପ ଭୟଙ୍କରୀ

ସ୍ନେହମୟୀ ପୁଣି ମମତାମୟୀ ଗୋ

ସୁଖ ମୋକ୍ଷ କ୍ଷମା ଦାତ୍ରୀ ।


ଦେବତାଙ୍କ ଗୁରୁ ଗୁରୁ ବୃହସ୍ପତି

ତୁମରି ଚରଣ ଧ୍ୟାଇ

ଅଗାଧ ଜ୍ଞାନରେ ପାଣ୍ଡିତ୍ୟ ଅର୍ଜ୍ଜନ

କରିଥିଲେ ମାଆ ସେହି ।


ମହର୍ଷି ବଶିଷ୍ଠ ତନ୍ତ୍ରିକ ମନ୍ତ୍ର ରେ

ତୁମ ଆରାଧନା କରି

ମହର୍ଷି ରୁ ସେତ ବ୍ରହ୍ମର୍ଷି ହୋଇଲେ

ଆଶିଷ ପଡ଼ିଲା ଝରି ।


ଦଶ ମହାବିଦ୍ୟା ମାନଙ୍କ ମଧ୍ୟରେ

ତୁମର ପ୍ରଭାବ ବେଶି

ତୁମରି ଆଶିଷେ ଜୀବନ ଆକାଶୁ

ପାହି ଯାଏ ଅମା ନିଶି ।


ତୁମକୁ ପୂଜିଲେ କବିତ୍ଵ ପାଣ୍ଡିତ୍ୟ

ବ୍ରହ୍ମତ୍ବ ହୁଅଇ ପ୍ରାପ୍ତି

ତୁମକୁ ଭଜିଲେ ଅଭାବ କଷଣ

ନିମିଷେ ଯାଏ ମା ହଟି ।


ପୁରାଣ ଯୁଗର ଅମୃତ ବାଣୀ ଏ

ବଖାଣେ ଭୁଷଣ୍ଡପୁର

କାହିଁ କେତେ ଦୂରୁ ଭକତେ ଆସନ୍ତି

ଝରଇ କରୁଣା ଝର ।


ଭକତ ଙ୍କ ଦାନେ ଗଢାହୋଇଅଛି

ତୁମରି ଭବ୍ୟ ମନ୍ଦିର

ଦୂରରୁ ଦୂରକୁ ଯାଉଥାଏ ଦେଖା

ଅପୂର୍ବ ଶୋଭା ସୁନ୍ଦର।


ଚିଲିକା କୂଳର ମୂଳଝରଗଡ

ଅଧିଷ୍ଠାତ୍ରୀ ଥିଲ ତୁମେ

ସେଦିନ ର ଗଡ଼ ଯାଇଆଛି ଭାଙ୍ଗି

ଆଜିତ ସମୟ କ୍ରମେ ।


ତାପରେ ଆସି ମା ଭୁଷଣ୍ଡପୁରରେ

ତୁମେତ ପାଉଛ ପୂଜା

ପୂରଣ କରୁଛ ଭକ୍ତ ମନ ବାଞ୍ଛା

ଉଡୁଛି ତୁମରି ଧ୍ବଜା।


ମୁଗୁନି ପଥରେ ଗଢା ତୁମ ମୂର୍ତ୍ତି

ତ୍ରିଲୋଚନୀ ଚତୁର୍ଭୁଜା

ସାରା ବରଷ ତ ବ୍ରାହ୍ମଣ ପୂଜକ

କରିଥାନ୍ତି ତୁମ ପୂଜା ।


ନିରାମିଷ ଆଉ ଆମିଷ ପ୍ରସାଦ

ତୁମପାଖେ ହୁଏ ଲାଗି

ପ୍ରସାଦ ତୁମର ଆହାକି ସୁଆଦ

ଭକତେ ଖାଆନ୍ତି ମାଗି ।


ରଜ ତିନିଦିନ ଉଗ୍ର ତାରା ପୀଠେ

ମେଳା ହୂଏ ତିନିଦିନ

ଲକ୍ଷ୍ମୀଙ୍କ ରୂପରେ ବେଶ ହୋଇ ମାଆ

ଦେଇଥାନ୍ତି ଦରଶନ।


କାର୍ତ୍ତିକ ମାସରେ ଶ୍ୟାମା କାଳି ବେଶ

ମାଘ ମାସେ ସରସ୍ବତୀ

ଚୈତ୍ରରେ ବାସନ୍ତୀ ଦୁର୍ଗା ବେଶ ହୋଇ

ଦରଶନ ଦେଇଥାନ୍ତି।


ହୋମ ଚଣ୍ଡୀ ପାଠେ ପୀଠ ଉଛୁଳଇ

ଆସେ ଯେବେ ଦଶହରା

ଷୋଳଦିନ ଧରି ଷୋଡ଼ଶପଚାରେ

ପୂଜା ହୁଏ ଦିନ ସାରା ।


ବିବାହ ବ୍ରତ ଯେ ସାରା ବର୍ଷ ହୁଏ

ମାଆଙ୍କ ପବିତ୍ର ପୀଠେ

ଜୀବନ ଭାଷାର ପବିତ୍ର ମୂର୍ଚ୍ଛନା

ମାଆଙ୍କ ମଙ୍ଗଳ ଗୀତେ ।


ମାଆଙ୍କର ରୂପ ଭାରି ଭୟଙ୍କର

ଲାଗେସିନା ଡର ଦେଖି

ସବୁ ଦୁଃଖ ମାଆ ଦୂର କରିଥାନ୍ତି

ଭକତିରେ ଦେଲେ ଡାକି ।


ପାଦରେ ତାଙ୍କର ଅଧମ ଦିଲ୍ଲୀପ

ଏତିକି ମିନତି କରେ

ଦୋଷା ଦୋଷ ସବୁ କ୍ଷମା କରି ମାଆ

ଚାହିଁଥିବ କୃପା ନେତ୍ରେ ।


Rate this content
Log in

Similar oriya poem from Classics