ମାଆ ତୁମେ ମୋର
ମାଆ ତୁମେ ମୋର
ମାଆ ମାଆ ବୋଲି ଡାକୁଛି ଅଥୟେ
ନିଅ ମା କୋଳକୁ ଟାଣି
ତୋ ଛାତି ମମତା ଚରଣ ଧୂଳିଠୁଁ
ବଡ଼ କେ ପାରୁନି ଜାଣି ।
ସେହି ଧୂଳି ମୋର ପ୍ରାଣର ବିଭୁତି
କିଛି ମାଗୁନାହିଁ ତୋତେ
ମୋ ପାଇଁ ତ ତାହା କୋଟି ଅଇଶ୍ୱର୍ଯ୍ୟ
ନୀରବରେ ମଥାପାତେ ।
ଫୁଲର ସୁରଭି ଅଗ୍ନିର ଦହନ
ତୁଷାରର ଶୀତଳତା
କବି ମାନସର କଳପନା ତୁମେ
ମଦିରା ର ମାଦକତା ।
ଶିଶୁ ର ଓଠରେ ମିଠାହସ ତୁମେ
ସରଳତା ବାଳକର
ପୁରୁଷ ହୃଦୟେ ପ୍ରତ୍ୟୟ ତୁମେତ
ବିଳାସ ନାରୀ ମନର ।
କ୍ଷେତ ରେ ତୁମେ ତ ଶସ୍ୟ ସବୁଜିମା
ଧରାକୁ କରିଛ ପୂର୍ଣ୍ଣ
ଆକାଶର ନୀଳ ରଙ୍ଗତୁ ମାଆ ଲୋ
ଶରତେ ପୁନେଇଁ ଜହ୍ନ ।
ଜନନୀ ବୁକୁରେ ସୁଧା ହୋଇ ଝର
ତୁମେ ବାତ୍ସଲ୍ୟ ମମତା
କଳୁଶ ନାଶିନୀ ଦିଅ ଗୋ ଆଶିଷ
ଚରଣେ ନୁଆଁଏ ମଥା ।