ଲଣ୍ଠନ
ଲଣ୍ଠନ


ଘରକୁ ଆମର
ନୂଆ ଲଣ୍ଠନଟେ
ଆସିଥିଲା ଯେଉଁ ଦିନ,
ଖୁସିର ଲହରୀ
ଭରିଯାଇଥିଲା
ନାଚି ଉଠୁଥିଲା ମନ l
ଆଗରୁ କେବେ ତ
ଦେଖି ବି ନଥିଲୁ
ଆମେ ଭାଇ ଓ ଭଉଣୀ,
ଶୁଣିଥିଲୁ ଯେବେ
ମାଆ କହୁଥିଲା
ରାଜା ଝିଅର କାହାଣୀ l
ଲଣ୍ଠନ ରେ ଥିବା
ଗୋଲିଆ ତାରକୁ
ମୋଡିଦେଲେ ଉଠେଜଳି,
ମନଇଚ୍ଛା ତାକୁ
ମୋଡା ମୋଡି କରି
ମାଆଠାରୁ ମିଳେ ଗାଳି
କଳ୍ପନାର ସେଇ
ଲଣ୍ଠନକୁ ଦେଖି
ମନ ଥିଲା ଭାରି ଖୁସି,
ସଞ୍ଜ ହେଇଗଲେ
ବାରଣ୍ଡା ଉପରେ
ଜଳୁଥାଏ ସିଏ ବସି l
ଦୁନିଆର ଯେତେ
କୀଟ ଓ ପତଙ୍ଗ
ଆସୁଥିଲେ ଦୂରୁ ଉଡି,
ସେମାନଙ୍କୁ ଦେଖି
ହୃଦୟରେ ଖୁସି
ଅଫୁରନ୍ତ ଆସେ ମାଡି l
ପାଠ ପଢିବାର
ମିଛ ବାହାନାରେ
ଯାଉ ତା ପାଖରେ ବସି,
ତା ରୂପ ରଙ୍ଗକୁ
ଆଲୋଚନା କରି
ଗୃହ କର୍ମ ହୁଏ ବାସି l