ଲିଙ୍ଗରାଜ ଧାମେ ଶ୍ରାବଣୀ ବ୍ରତ
ଲିଙ୍ଗରାଜ ଧାମେ ଶ୍ରାବଣୀ ବ୍ରତ
ଚାଲ ଯିବା ପାଣି ନେଇ ରେ ଲିଙ୍ଗରାଜ ଧାମ କୁ
ବାଟ ସାରା ଘୋଷି ଘୋଷି ରେ ବାବାଙ୍କର ନାମକୁ।
ପବିତ୍ର ଏକାମ୍ର କ୍ଷେତ୍ରରେ ବାବା କରନ୍ତି ବାସ
ଜଳ ଲାଗି ପାଇଁ ସୁଯୋଗ ଦିଏ ଶ୍ରାବଣ ମାସ।
ବୋଲ୍ ବମ୍ ବୋଲ୍ ବମ୍ ଯେ ଯିବା ତୁଣ୍ଡ ରେ ଗାଇ
ବାଟ ଚାଲୁଥିବା, କଷ୍ଟ ଯେ ଜଣା ପଡିବ ନାହିଁ।
ଦ୍ବାଦଶ ଯେ ଜ୍ୟୋତିର୍ଲିଙ୍ଗ ଙ୍କ ମଧ୍ୟେ ଲିଙ୍ଗରାଜଟି
ରାଜା ରାଜେଶ୍ବର ଭାବରେ ସେତ ପୂଜା ପାଆନ୍ତି।
କାଉଡ଼ିଆ ଭାଇ କାନ୍ଧରେ ଜଳ ନେବରେ ବୋହି
ନିଜ ଘରପାଖ ପବିତ୍ର ନଦୀ ନାଳ ରୁ ଯାଇ।
ମନରେ ତ ଥିଲେ ବିଶ୍ବାସ ଗାଆଁ ଗଡିଆ ଗଙ୍ଗା
ନିର୍ମଳ ମନରେ ସେ ଜଳ ବାବାଙ୍କ ଠି ଢାଳିବା ।
ସାରା ରାଇଜ ରେ ରହିଛି ଯେତେ ପବିତ୍ର ନଈ
ଯାହାକୁ ସୁବିଧା ଯେଉଁଠୁ ପାଣି ଯିବାରେ ନେଇ।
ମହାନଦୀ ବଇତରଣୀ କାଠଯୋଡି ର ଜଳ
ଉତରୁ ଆଣନ୍ତି ଭକତେ ହୋଇ ସେ ଦଳଦଳ।
ଭାର୍ଗବୀ ସାଳିଆ ଆଦି ଯେ ଦକ୍ଷିଣ ର ତଟିନୀ
ଦକ୍ଷିଣ ରୁ ଭକ୍ତେ ଆଣନ୍ତି ସେହି ପବିତ୍ର ପାଣି।
ଖାଲି ପାଦେ ବାଟ ଚାଲନ୍ତି ପିନ୍ଧି ଓଦା ବସନ
ଜଣା ପଡେନାହିଁ ବାଟ ଯେ କଲେ ବାବାଙ୍କୁ ଧ୍ଯାନ।
ବାବାଙ୍କର ନାମ ଜପିଲେ କଣ୍ଟା ହୁଅଇ ଫୁଲ
ବାବା ଲିଙ୍ଗରାଜ ବୁଝନ୍ତି ସେତ ଭକ୍ତି ର ମୂଲ।
ଭକତ ମାନଙ୍କୁ ଥାଆନ୍ତି ବାବା ବତାଇ ରାହା
ଅଘଟଣ କିଛି ଘଟିଲେ ସେତ ହୁଅନ୍ତି ସାହା।
ସାରା ଭୁବନ ର ଈଶ୍ୱର କ୍ଷେତ୍ର ଅଧିଶ୍ବର ଟି
କ୍ଷେତ୍ର ନାମ ତେଣୁ ଭୁବନେ ଶ୍ବର ହୋଇଅଛି ଟି।
ଯୁଗ ଆରମ୍ଭ ରୁ ପିନାକୀ ପ୍ରଭୁ ଶ୍ରୀ ଲିଙ୍ଗରାଜ
ଏ ପବିତ୍ର କ୍ଷେତ୍ରେ ବାବା ଯେ ହୋଇଛନ୍ତି ବିରାଜ।
ମହିମା ତାଙ୍କର ଅସୀମ ଶାସ୍ତ୍ର କରେ ବର୍ଣ୍ଣନ
ଶ୍ରବଣ ପଠନ କରିଲେ ହୁଏ ଜୀବନ ଧନ୍ୟ।
ପାର୍ବତୀ ଙ୍କୁ ଶିବ କହିଲେ ଏହି ଏକାମ୍ର କ୍ଷେତ୍ର
ସବୁ କ୍ଷେତ୍ର ଠାରୁ ଲାଗଇ ତାଙ୍କୁ ଭାରି ଯେ ପ୍ରିୟ।
ପରୀକ୍ଷା କରିବା ପାଇଁକି ବାବାଙ୍କର କଥାଟି
ଗଉଡୁଣୀ ବେଶେ ଗୁପ୍ତ ରେ ଦିନେ ମାତା ପାର୍ବତୀ,
ଏକାମ୍ର କ୍ଷେତ୍ର କୁ ଆସିଲେ ବୁଲି ଏକଲା ସେତ
କ୍ଷେତ୍ର ର ସୁଷମା ଦେଖିଣ ହେଲେ ସେ ଅଭିଭୁତ।
କୃତି ଆଉ ବାସ ନାମରେ ଦୁଇଜଣ ରାକ୍ଷସ
କରୁଥିଲେ ଅତ୍ୟାଚାର ଯେ କରି ସେଠାରେ ବାସ।
ଏଡ଼େ ସୁନ୍ଦର ସେ ସ୍ଥାନରେ ରାକ୍ଷସ ଯେ ରୁହନ୍ତି
କ୍ରୋଧରେ କମ୍ପିଲେ ଦେଖିଣ ତାଙ୍କୁ ମାତା ପାର୍ବତୀ।
ତାଙ୍କ ସହ ମାତା କରିଲେ ତହିଁ ଘୋର ସମର
ତାଙ୍କୁ ବଧି ମାତା କରିଲେ ଧରଣୀଙ୍କୁ ଉଦ୍ଧାର !
ରାକ୍ଷସ ଙ୍କ ସହ କରିଣ ଘୋର ସମର ମାଆ
ହୋଇଥିଲେ କ୍ଳାନ୍ତ ଅବସ, ଶିବ ପହଞ୍ଚି ଆହା,
ତ୍ରିଶୂଳ ରେ ତହିଁ ଖୋଳିଲେ ବାବା ସରୋବର ଟି
ବିନ୍ଦୁ ବିନ୍ଦୁ ଜଳ ସେଠାରେ ଝରି ଉଛୁଳିଲା ଟି।
ବିନ୍ଦୁ ସାଗର ଯେ ହୋଇଲା ସରୋବର ର ନାମ
ସେ ଜଳେ ମାଆଙ୍କ କ୍ଳାନ୍ତି ଯେ ହୋଇଲା ଉପସମ ।
କିମ୍ବଦନ୍ତୀ ପୁଣି ବଖାଣେ ଇନ୍ଦ୍ରଦ୍ୟୁମ୍ନ ଙ୍କ ମନ୍ତ୍ରୀ
ନୀଳମାଧବ ଙ୍କ ସନ୍ଧାନେ ଆସି ସେ ବିଦ୍ୟାପତି,
ଘୋର ଜଙ୍ଗଲ ର ମଧ୍ୟରେ ବାଟ ବଣା ହୋଇଲେ
ବାବା ଲିଙ୍ଗରାଜ ଦେବଙ୍କୁ ଏଠି ଦର୍ଶନ କଲେ।
ଏକାମ୍ର କ୍ଷେତ୍ରରେ ବାବା ଙ୍କୁ ସେତ କରିଣ ଧ୍ୟାନ
ଶ୍ରୀକ୍ଷେତ୍ର କୁ ଯିବା ରାସ୍ତାର ପାଇ ଥିଲେ ସନ୍ଧାନ।
ମରିଚି କୁଣ୍ଡ ଯେ ରହିଛି ଲିଙ୍ଗରାଜ ମନ୍ଦିରେ
ନିଃସନ୍ତାନ ନାରୀ ତା ଜଳ ପାନ କଲେ ଭକ୍ତିରେ,
ଗର୍ଭବତୀ ସେତ ହୁଅନ୍ତି ଦୂର ହୁଏ କଷଣ
ସେଥିପାଇଁ ଏହି କ୍ଷେତ୍ର ଯେ ତାଙ୍କ ପାଇଁ ମହାନ।
କ୍ଷେତ୍ର ର ମହିମା ଏମିତି କେତେ ରହି ଅଛି ଟି
ଭବ ଯାତନା ରୁ ବାବା ଯେ ଭକ୍ତେ ରକ୍ଷା କରନ୍ତି ।
ଶ୍ରାବଣ ମାସ ଯେ ବାବା ଙ୍କ ପ୍ରିୟ ମାସ ଅଟେଟି
ଜଳ ଅଭିଷେକ କରିଲେ କୃପା ଢାଳି ଦିଅନ୍ତି।
ସେଥିପାଇଁ ଏହି ଶ୍ରାବଣ ପ୍ରତି ସୋମବାର ରେ
ପ୍ରବଳ ଗହଳି ହୁଅଇ ଲିଙ୍ଗରାଜ ମନ୍ଦିରେ।
କାହିଁ କେତେ ଦୂରୂ ଭକତେ ପାଣି ନେଇ ଆସନ୍ତି
ଭକ୍ତିରେ ବାବାଙ୍କୁ ସେମାନେ ଜଳ ଲାଗି କରନ୍ତି।
ଜୟ ଜୟ ଜୟ ବାବା ହେ ଜୟ ହେ ଲିଙ୍ଗରାଜ
ଜଳ ଲାଗି କରୁ ମଥାରେ ଆହେ ପାର୍ବତୀ ଧବ।
କରୁଣା କରିବ ବାବା ହେ କରୁ ଏହି ମିନତି
ଏ ଭବ ସାଗରୁ ଆମକୁ ବାରେ ଦେବ ମୁକତି।
ତୁମରି ଦୟାରେ ସଂସାର ହେଉ ମଙ୍ଗଳ ମୟ
ଦୂର ହେଉ ଆମ ମନରୁ ଦୁଃଖ ଯାତନା ଭୟ।
