କଥା ଦିଅ
କଥା ଦିଅ
ଏଥର ଫଗୁଣ ଆସି ଫେରିଗଲା
ତୁମେ ତ ଆସିଲ ନାହିଁ
ତୁଚ୍ଛା ଅପେକ୍ଷାରେ ସମୟ ବିତିଲା
ଆଖି ରହିଥିଲା ଚାହିଁ।
କଥା ଦେଇ ତୁମେ କଥା ରଖ ନାହିଁ
ତଥାପି ବି କଥା ଦିଅ
ତୁମରି କଥାକୁ ସତ ମନେ କରି
କି'ବା ଭୂଲ କଲି କୁହ ।
ଆକାଶ କୋଳରେ ହସେ ରୂପା ଜନ୍ହ
ସରସୀରେ ଦିଶେ ଛାଇ
ମୋ ମନ ଦର୍ପଣେ ତୁମ ରୂପ ଦିଶେ
ତୁମେ ବୁଝି ପାର ନାହିଁ।
ଥିରି ଥିରି ବହେ ମଳୟ ପବନ
ଫୁଲ ତନୁ ଯାଏ ଛୁଇଁ
ତୁମ କଥା ଭାବି ତୁମରି ସପନେ
ଆନମନା ହୁଏ ମୁହିଁ।
ତୁମ ପଦଧ୍ଵନୀ ପ୍ରତିଧ୍ୱନୀ ତୋଳେ
ରହି ରହି ଛାତି ତଳେ
କୋଳାହଳ ଶୂନ୍ୟ ନିଃଶବ୍ଦ ରଜନୀ
ଭିଜୁଥାଏ ଅଶ୍ରୁ ଜଳେ ।
ତୁମେ ଫେରିବାର ଶୁଭ ଲଗନକୁ
ଚାହିଁଛି ଚାତକ ପ୍ରାୟ
ପହିଲି ଆଷାଢେ ନିଶ୍ଚୟ ଫେରିବ
କଥା ଦିଅ କଥା ଦିଅ।
