କରୋନା କୋପରେ ରଜ
କରୋନା କୋପରେ ରଜ
ଗାଆଁ କୁ ଆସିଛି ରଜ,
ନାହିଁ ଆଉ ସଜବାଜ l
ତୋଟାରେ ଝୁଲୁନି ଦୋଳି
ପଡୁ ନାହିଁ ତାଆସ ପାଲି l
ରଜ ମିଠା ପାନ କାହିଁ
କରୋନାର କଳା ଛାଇ l
ଚୁନାକୁଟା ବିରିବଟା
ହେଉ ନାହିଁ ପାନବଣ୍ଟା l
ଝିଅ ବୋହୂ ହୁଅନ୍ତିନି ସଜ
ରଜ ରଜ ରଜ ।।
ମହକୁନି ପୋଡପିଠା
ନାହିଁ ତା ସୁଆଦ ମିଠା l
ଖୋଲୁନି ବଜାରଘାଟ
କିଣା ହେଲାନାହିଁ ପାଟ l
ଘରଣୀଙ୍କ ମନ ଉଣା
କରୋନାର କଟକଣା l
ଏ ସନ ରଜରେ ବୁଲା
ହେଉ ନାହିଁ ହୋହଲ୍ଲା l
ଅଜାଙ୍କ ମୁହଁକୁ ଚାହିଁ
ବସିଛି ପାକେଇ ଆଈ l
ନାହିଁ ଲୁଡୁ ପଶା ପାଲି
ଚାରିଆଡେ ଖାଲି ଖାଲି l
କରୋନା ତ ଲୁଟିନେଲା
ମଣିଷର ତେଜ
ରଜ ରଜ ରଜ ।।
ରଜରେ କାନ୍ଦୁଛି ଗାଆଁ
ବାଟଘାଟ ଖାଁ ଖାଁ l
କରୋନା ତ ନେଲା ଲୁଟି
ମଣିଷର ସୁଖ ଶାନ୍ତି l
ସୁନାଘର ଚୁନା ହେଲା
ପିଲାଙ୍କୁ ଛେଉଣ୍ଡ କଲା l
ବୁଢୀ ମାଆ ବୁଢା ବାପ
କରୋନା କରିଲା କୋପ l
ପୋଷିଲା ପୁଅକୁ ନେଲା
ଘରକୁ ଉଜାଡି ଦେଲା l
କରୋନା ତ କରେ ଆଜି
ଦୁନିଆକୁ ଦହଗଞ୍ଜ
ରଜ ରଜ ରଜ ।।
ଆଖି ଜମା ପାଉନାହିଁ
କରୋନାର ଶେଷ କାହିଁ l
ମହାମାରୀ ମହାକାୟା
ନାହିଁ ତାର ଦୟାମାୟା l
ଆଉ ପୁଣି କେତେ ଦିନ
ହେବନି ପୂଜା ପାର୍ବଣ l
କେତେ ଦିନ କଟକଣା
କରୁଥିବ ବାଟବଣା l
ପ୍ରଭୁହେ ତୁମକୁ ଜଣା
କରୁଣା କରନି ଉଣା l
ତୁମେ କଲେ ଦୟା ପ୍ରଭୁ
କରୋନା ହେବନି ବୋଝ
ରଜ ରଜ ରଜ ।।
