କର୍ମଫଳ
କର୍ମଫଳ
ପ୍ରତ୍ୟେକ ଜୀବନେ ଭରି ରହିଥାଏ
ସତ୍ୟ ଧର୍ମ କର୍ମ ପଥ
ଜୀବନ ସାଥିରେ କର୍ମ ରହିଥାଏ
ସାଥେ ଥାନ୍ତି ଜଗନ୍ନାଥ ।
କର୍ମ ବିନା ନାହିଁ କାହାର ଯେ ଗତି
କର୍ମେ ବଞ୍ଚି ଥାନ୍ତି ସର୍ବେ
ବିନା କର୍ମେ କେବେ କିଏ ତିଷ୍ଠି ପାରେ
ଜାଣଛ କୁହ ମାନବେ ?
ଯେମିତିକା କର୍ମ ଯିଏ କରିଥାଏ
ସେମିତିକା ଫଳ ଭୋଗେ
ପାପ କରିଥିଲେ ନର୍କ ଭୋଗୁଥାଏ
ଧର୍ମ ବଳେ ଚଳେ ସ୍ବର୍ଗେ ।
ମହା ଭାରତରେ ଅର୍ଜୁନେ ଶ୍ରୀକୃଷ୍ଣ
କର୍ମ ଯୋଗ ବୁଝାଇଲେ
କର୍ମର ମହତ୍ତ୍ଵ କେତେ ଯେ ଗୁରୁତ୍ୱ
ଅର୍ଜୁନ ତହୁଁ ଜାଣିଲେ ।
ଭଲ କର୍ମ କଲେ ମିଳେ ଭଲ ଫଳ
ମନ୍ଦ କର୍ମେ ମନ୍ଦ ଫଳ
କର୍ମ ଅନୁସାରେ ଫଳ ଭୋଗୁଥାଏ
ନୁହେଁ ତା କେବେ ନିଷ୍ଫଳ ।
ଅହଲ୍ଯା ହରଣ କରିଥିଲେ ଇନ୍ଦ୍ର
ସହସ୍ର ଯୌନି ହୋଇଲେ
ଶଙ୍ଖାସୁର ବେଦ ଚୋରି କରିଥିଲା
ପ୍ରଭୁ ତାକୁ ବଧ କଲେ ।
ସୀତାଙ୍କୁ ହରଣ କରିଣ ରାବଣ
ରାମ ବାଣେ ନାଶ ଗଲା
ବିଭୀଷଣ ପାଦେ ଶରଣ ପଶିଲା
ଲଙ୍କା ଅଧୀଶ୍ଵର ହେଲା ।
ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଈର୍ଷା କରି
ରାଜ୍ୟ ଅଧିକାର କଲା
କୂଟ କପଟରେ ପଶାଖଳ କରି
ଯୁଧିଷ୍ଠିଙ୍କୁ ହରାଇଲା ।
କୁରୁସଭା ତଳେ ଦୁଃଶାସନ ହସ୍ତେ
ଦ୍ରୌପଦୀ ବସ୍ତ୍ର ହରଣ ।
ଭୀମ ହସ୍ତେ ବାହୁ ଉତ୍ପାଟନ କରି
କରିଲେ କେଶ ବନ୍ଧନ ।
ଦ୍ରୌପଦୀଙ୍କ କୋପ ଅନଳ ଅଗ୍ନିରେ
ଅନ୍ତଃପୁର ଜଳି ଗଲା
ଉଲଗ୍ନ ହୋଇଣ ଭାନୁମତୀ ରାଣୀ
କୁରୁ ସଭାରେ ମିଳିଲା ।
ଅନୟ ପାଇଁ ଗାତ ଯିଏ ଖୋଳି ଥାଏ
ସେଇ ଗାତେ ପଡେ ସିଏ
ବାମ ହାତ ପାପ ଡାହାଣ କେବେ କି
ନେଇଛି ଦେଖିଛ କିଏ ?
ଅନ୍ୟ ବିପଦରେ ସାହା ଯିଏ ହୁଏ
ତା ସାହା ହୁଅନ୍ତି ପ୍ରଭୁ
ପର ଉପକାର କରୁଥାଏ ଯିଏ
ଭୋଗେ ସେ ଭଲ ଫଳକୁ ।
କର୍ମରେ ରହିଛି ଏଇତ ଜଗତ
କର୍ମରେ ପ୍ରାପତ ହରି
କର୍ମ ଅନୁସାରେ ଫଳ ସେ ଦିଅନ୍ତି
ରଖନ୍ତି ନା ସେ କାହାରି ।
କର୍ମ ଅନୁସାରେ ନଳ ରାଜା ଦିନେ
କାଟି ଥିଲେ ଘୋଡା ଘାସ
ସେଇ କର୍ମ ପାଇଁ ପ୍ରଭୁ ରାମଚନ୍ଦ୍ର
ଯାଇଥିଲେ ବନବାସ ।
ଏ କର୍ମକୁ ଭଲ ଶିକ୍ଷା ଦେଇଥିଲେ
ଆମ ପ୍ରିୟ ଗୋପବନ୍ଧୁ
ବଳି ଦେଇଦେଲେ ନିଜ ପରିବାର
ଉତ୍ସର୍ଗ କରି ନିଜକୁ ।
ଜାଣନ୍ତରେ ଅବା ଅଜାଣତେ କିଏ
ଯିଏ ଯେଉଁ କର୍ମ କରୁ
ନିସ୍ତାର ନାହିଁ ଏଇ ଜୀବନରେ
ତାକୁ ତାହା କବଳରୁ ।
ଅଜାଣତେ ଯେବେ ନିଆଁ କିଏ ମାଡେ
ଅଗ୍ନିକି ଛାଡେ ତାହାକୁ
ଭୋଗିବାକୁ ପଡେ କଲା କର୍ମ ଫଳ
ଏଇ ଜୀବନେ ନିଜକୁ ।
ତେଣୁ ଏ ମାନବ ହୁଅ ସାବଧାନ
ଭଲ କର୍ମେ ଦିଅ ମତି
ଏ ଭବ ସାଗରୁ ଉଦ୍ଧାର ପାଇବ
ମିଳିବ ହେ ସଦଗତି ।
ଅନ୍ୟର ଅନିଷ୍ଟ ମନୁ ପୋଛି ଦିଅ
ଚାଲ ଭଲ କର୍ମ କରି
ଭଲ କର୍ମ କଲେ ମାଆ ସାହା ହେବେ
ରଖିବେ ସେ ଚକ୍ରଧାରୀ ।