କଙ୍କାଳ ଓ ଭୂତକୋଠି
କଙ୍କାଳ ଓ ଭୂତକୋଠି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବାପାଙ୍କ ଉପରେ ଅଭିମାନ କରି
ଛାଡିଦେଇଥିଲି ଘର
ଘରଭଡା ନେଇ ରହୁଥିଲି ମୁଁ ତ
ଧରି ମୋର ପରିବାର ।
ସସ୍ତାରେ ମିଳିଲା ଘରେ ଖଣ୍ଡେ ମୋତେ
ଏକା ଯାଇ ସଜେଇଲି
ଥକ୍କି ପଡିଥିଲି, କାମ କରୁକରୁ
ଚଟାଣରେ ଶୋଇଗଲି ।
ଶୋଇପଡିଥିଲି ନିଘୋଡ ନିଦରେ
ଦେଖୁଥିଲି ଏକ ସ୍ୱପ୍ନ
କଙ୍କାଳଟିଏ ମୋ କାନେ କହୁଥିଲା
କେମିତି ଗଲା ତା ପ୍ରାଣ।
ପୁଅ ତାର ଯେବେ ଛୋଟ ହୋଇଥିଲା
ପତ୍ନୀ ହେଲେ ସ୍ୱର୍ଗବାସୀ
ପୁଅ ପାଇଁ ସେ ତ ଜଳାଞ୍ଜଳି ଦେଲା
ସବୁ ହସ ସବୁ ଖୁସି ।
ଗେଲବସରରେ ପୁଅ ବଡ ହେଲା
ରୋଜଗାର କଲା ଭଲ
ବାହାହେଲା ପରେ ଛାଡି ଚାଲିଗଲା
ବାପ ହେଲା କଲବଲ ।
ଘରଟା ଭିତରେ ଏକୁଟିଆ ବୁଢା
ସାଥୀ ତାର ଅବସାଦ
ସାହି ପଡିଶାଙ୍କ ସାଥିରେ ନଥିଲା
ଦେବା ନେବା ଭାବନାବ ।
ଖାଇପିଇ ବୁଢା ରାତିରେ ଦିନେ ତ
ଶୋଇବାକୁ ଯାଉଥିଲା
ଛାତିରେ ଭୀଷଣ ଯନ୍ତ୍ରଣା ହୋଇଲା
କିଏ ସେ ଶୁଣିବ ଭଲା ।
ଛଟପଟ ହୋଇ ଅକାଳରେ ତାର
ପ୍ରାଣବାୟୁ ଗଲା ଚାଲି
କେହି ଆସିଲେନି ମଡା ଦେଖିବାକୁ
ନିବୁଜ ଦୁଆର ଖୋଲି ।
ସେହିଦିନ ଠାରୁ କଙ୍କାଳଟା ତାର
ପଡିଅଛି ସେହି ଘରେ
ଭୂତକୋଠି କହି କେହି ଚାହାଁନ୍ତିନି
ତା ଘର ଆଡକୁ ଥରେ ।
ନିଦ ଭାଙ୍ଗିଗଲା ଉଠିପଡିଲି ମୁଁ
ଡରେ ହୋଇ ଧଡପଡ
ଦେଖିଲି ସେଦିନ ସେହି ଘର ଆଗେ
ଲୋକ ହୋଇଛନ୍ତି ଭିଡ ।
ଯେତେବେଳେ ମୁଁ ତ କବାଟ ଖୋଲିଲି
ଆଶ୍ଚର୍ଯ୍ୟ ହୋଇଲେ ସବୁ
କହିଲେ ସଭିଏ ଭୂତକୋଠିଟାରେ
କେମିତି ରହୁଛ ବାବୁ ।
ବହୁ ଦିନ ଧରି ବୁଢାଲୋକଟିଏ
ସେହି ଘରେ ରହୁଥିଲା
ତା ମୃତ୍ୟୁ ଖବର ପଡିଶା ଜାଣିଲେ
ଶବ ଯେବେ ଗନ୍ଧ ହେଲା ।
ଖବର ପାଇ ତା ପୁଅ ତ ଆସିଲା
ଶବକୁ ସତ୍କାର କଲା
ସେହି ଦିନଠାରୁ ଘରଟା ଏମିତି
ବନ୍ଦ ହୋଇ ରହିଥିଲା ।
ଲୋକଙ୍କଠୁ ଶୁଣି ଘରର କାହାଣୀ
ଛାତି ହେଲା ଥରହର
ବାପା ମୋର ତେଣେ ଏକଲା ରୁହନ୍ତି
ଅଲଗା ମୋ ପରିବାର ।
କଙ୍କାଳର ବ୍ୟଥା ଲୋକଙ୍କର କଥା
କାନେ ମୋର ହେଲା କହି
ବାପା ମାଆ ପରା ଅମୂଲ୍ୟ ସମ୍ପଦ
ବଡକଲେ ଦୁଃଖ ସହି ।
ଅବେଳରେ ତାଙ୍କୁ ପର ଭାବିବାଟା
ପାପ ନୁହେଁ ମହାପାପ
ଯେଉଁ ପାପ ପାଇଁ ବଳେଇ ପଡିବ
ସମୟର ଅଭିଶାପ ।
ଅନୁତାପ କଲି ଘର ଛାଡିଦେଲି
ବାପାଙ୍କୁ ମାଗିଲି କ୍ଷମା
ବାପାଙ୍କ ଉପରେ ଅଭିମାନ ଆଉ
କରି ନାହିଁ କେବେ ଜମା ।