STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

କଳା ଶ୍ରୀମୁଖ

କଳା ଶ୍ରୀମୁଖ

2 mins
18


କଳି କାଳ ଜାଣି କଣ କଳା ହେଲା ମୁଖ!

କଳା ବୋଳି ହେଲା ପରି ଦିଶୁଛି ଶ୍ରୀମୁଖ

କେତେ କଳା ଅଛି ପୁର୍ଣ୍ଣ କଳା ନନ୍ଦ ବଳା

ଭକ୍ତ ଡାକୁଛି କାଳିଆ ଦେଖି ମୁଖ କଳା

ରାଧା ଗୋରୀ କୃଷ୍ଣ କଳା ମିଶି ଧଳା କଳା

ଦେହ ଗୋରା ଥାଇ ମୁଖ କଲ କିମ୍ପା କଳା

ରାଧା କୃଷ୍ଣ ଏକ ଅଙ୍ଗେ ମିଶି ଧଳା କଳା

ଭାବ ଥାଇ ବୁଝିବାକୁ ହେବ ଲୀଳା ଖେଳା

କାଳିଆ କଳା ଠାକୁର ହେ କଳା ସାଆନ୍ତ

ଯୁଗେ ଯୁଗେ ତୁମ୍ଭେ ସାରା ଜଗତର ନାଥ

ଭକ୍ତିରେ ଭକ୍ତ କହୁଛି ପ୍ରଭୁ ଜଗନ୍ନାଥ

କାଳିଆ ନାମରେ ଉତ୍କଳରେ ପରିଚିତ

ଜଗନ୍ନାଥ ହିଁ କାଳିଆ ନାମରେ ବିଦିତ

ଶ୍ରୀମୁଖ କଳା ରଙ୍ଗ ଥାଇ କଳା ସାଆନ୍ତ

ଷୋଳ କଳା ଧରି କଳି କାଳେ ଜଗନ୍ନାଥ

ରତ୍ନ ସିଂହାସନେ ବିଜେ ସ୍ଵୟଂ ପରଂବ୍ରହ୍ମ

ଭକ୍ତ ହୃଦୟେ କିନ୍ତୁ କଳା ସାଆନ୍ତ ନାମ

ସୀମିତ ଜ୍ଞାନର ପରିଧି ଭିତରେ ରହି

କାଳିଆ ସାଆନ୍ତ କଥା ବୁଝି ହେଉ ନାହିଁ

ସାତ ରଙ୍ଗ ତାଲିକାରେ ନାହିଁ କଳା ରଙ୍ଗ

ସାତ ରଙ୍ଗ ମିଶାଇଲେ ହୁଏ କଳା ରଙ୍ଗ

କାଳିଆ କାହ୍ନୁ ର ସବୁ ରଙ୍ଗ ରସ ଅଛି

ସେଇ କଳା ରଙ୍ଗ ହିଁ ମନ ମୋହୁ ଅଛି

କଳା ମୁଖ ପାଇଁ ଭିନ୍ନ ମତବାଦ ଅଛି

କଳିରେ କାଳିଆ ନିତି ଲୀଳା କରୁଅଛି

କାଳିଆ ସାଆନ୍ତଙ୍କ ର ମୁହଁ ସିନା କଳା

ଶରୀରର ରଙ୍ଗ ଅଟଇ ସମ୍ପୂର୍ଣ୍ଣ ଧଳା

ରାଧାରାଣୀ ରହିଛନ୍ତି ଆଲିଙ୍ଗନ କରି

ରାଧା କୃଷ୍ଣଙ୍କ ମିଳନ ଯୁଗ ଯୁଗ ଧରି

ଯିଏ ବା ବୁଝିଛି ସେଇ ମିଳନର ଭାବ

ଭାବଗ୍ରାହୀ ଜାଣିଛନ୍ତି ହୃଦୟର ଭାବ

ମନ ଶରୀର ଏକତ୍ର ହୋଇଛି ଜଡ଼ିତ

ଶ୍ରୀରାଧା ହୋଇଛନ୍ତି ସମ୍ପୂର୍ଣ୍ଣ ସମର୍ପିତ

ସମ୍ପୂର୍ଣ୍ଣ ସମର୍ପିତ ହୋଇଲେ ଭାବ ହେବ

ପୂର୍ଣ୍ଣ ଭାବ ଜାତ ହେଲେ କଳା ଚିହ୍ନି ହେବ

କାଳିଆ ସାଆନ୍ତଙ୍କ ର ଅନ୍ୟ ଏକ କଥା

ଦ୍ଵାପର ଯୁଗରେ କୃଷ୍ଣ ଅବତାର ଗାଥା

କଂସ ନାଶ ପାଇଁ ଗଲେ ମଥୁରା ନଗର

ଗୋପ ଗୋପାଙ୍ଗନା କୃଷ୍ଣ ବିହୁନେ ଅଧୀର

ଯଶୋଦା ମାତାଙ୍କୁ କହିଲେ ଧିକ୍କାର କଥା

ନିତି କୃଷ୍ଣ କଥା ଭାଳି ଝୁରି ହେଲେ ମାତା

କଳା ରଙ୍ଗ ହୋଇଗଲା ମାତାଙ୍କ ବଦନ

ସବୁ ବୁଝି କୃଷ୍ଣ ଦେଲେ ମାତାଙ୍କୁ ବଚନ

କଳି କାଳେ ମୁଖ କାଳିଆ ହୋଇ ରହିବ

ମାତାଙ୍କର କଳା ମୁଖ ଆଉ ନ ରହିବ

ନନ୍ଦ ବଳା ବୋଲି ଅଛି ମାତ୍ର ଏକ କଳା

ଜଗନ୍ନାଥ ରୂପେ ଉଭା ଥାଇ ଷୋହଳ କଳା

ସବୁ ପାପ କଳୁଷ କୁ କରିଲେ ବହନ

କଳା ମୁଖରୁ କାଳିଆ ପଦବୀ ଧାରଣ    

ଯାହାଙ୍କର ଲଲାଟରେ କସ୍ତୁରୀ ତିଳକ

ବକ୍ଷ ସ୍ଥଳରେ କୌସ୍ତୁଭମଣି ର ପଦକ

ଶ୍ରୀ ହସ୍ତରେ ବେଣୁ ଆଉ କର ରେ କଙ୍କଣ

ନାସାଗ୍ରେ ମୁକ୍ତା ରତ୍ନ ହୋଇଥାଏ ଧାରଣ

ସର୍ବାଙ୍ଗରେ ଲେପନ ହୁଏ ହରିଚନ୍ଦନ

ସେ ହିଁ କୃଷ୍ଣ , ଯଶୋଦାର ପ୍ରାଣ ଗଣ୍ଠିଧନ

କଳା ପୁରୁଷ କୃଷ୍ଣ ହିଁ ସ୍ଵୟଂ ଭଗବାନ

କଳିରେ ଜଗନ୍ନାଥ ରୂପରେ ବିଦ୍ୟମାନ

କଳା ପ୍ରେମୀ କାଳିଆ ସାଆନ୍ତ ଚରଣରେ

ତନ ମନ ସମର୍ପଣ ହେଉ ଭକ୍ତି ଭରେ

କଳା ଶ୍ରୀମୁଖ କୁ ଚାହିଁ କରେ ନିବେଦନ

କଳୁଷ ତାପରୁ ଦୂରେ ରଖ ଏହି ପ୍ରାଣ



Rate this content
Log in

Similar oriya poem from Abstract