ଖୁସିର ମୂହୁର୍ତ୍ତ
ଖୁସିର ମୂହୁର୍ତ୍ତ
ଲାଗେ ମୋତେ ସବୁବେଳେ ଦିନଦିନ
ସବୁରାତି ଦିଶେ ତାରା ଉଏଁ ତୋଫା ଜହ୍ନ
ଖୁସିର ଲହରୀ ଖେଳେ ଛୋଟ ମୋ ଗାଁରେ
ହସିଉଠେ ତୋଟାମାଳ ତା ବିଲବନ ।
କଅଁଳା ବାଛୁରୀ ପରି ଡେଇଁ ଡେଇଁ
ନାଚେ ଖରା ଆନନ୍ଦରେ ପ୍ରତିଟି ସକାଳେ
ବାରମାସେ ଲାଗିଥାଏ ଓଷାବ୍ରତ
ସଞ୍ଜବତୀ ଜଳେ ନିତି ଚଉଁରାର ମୂଳେ ।
ବାଜିଉଠେ ଶୁଭଶଙ୍ଖ ଘଣ୍ଟିଘଣ୍ଟା
ଟିକିନନା ଶୁକନନା ଖୋଲନ୍ତି ପହୁଡ଼
ଦେବାଦେବୀ ଅବକାଶ ପୂଜାର୍ଚ୍ଚନା
ହୁଏ ନିତ୍ୟ ସମର୍ପିତ ନୈବେଦ୍ୟ ଭୋଗ ।
ବାସିଉଠେ ମହମହ ମୋ ଗାଁ ମାଟି
ପୁଣ୍ୟଭୂମି ଦେବାଳୟେ ଦିଅ ଦରଶନ
ହରିନିଏ ଦୁଃଖଶୋକ ଅବସାଦ
ଉଲ୍ଲାସ ଆନନ୍ଦେ ମୋର ଭରିଯାଏ ମନ ।
ଟୁଙ୍ଗୀ ଘରେ ନିତିସଞ୍ଜେ ବଇଠକ
ଗୁର୍ଜରଇ ସୁମଧୁର ଭାଗବତ ବାଣୀ
ସୁମରନ୍ତି ଦୟାନିଧି ଶ୍ରୀଚୈତନ୍ୟ
ନୀଳାଚଳ ନିବାସାୟ ଜଗନ୍ନାଥ ସ୍ୱାମୀ ।
ଉଛୁଳଇ ହରିନାମ ସଙ୍କୀର୍ତ୍ତନ
ନିର୍ଝରଇ ସ୍ନେହ ପ୍ରେମ ମମତା ମଧୁର
ମିଳନର ମହାମନ୍ତ୍ରେ ଉଜ୍ଜୀବିତ
ମାଟି ମୋର ଦୀପଜ୍ୟୋତି ଆଲୋକେ ଉଜ୍ଜ୍ୱଳ ।
ଜନ୍ମଭୂମି ଜନ୍ମଭୂମି ମାଆ ପରି
କୋଳ ତାର ସୁଶୀତଳ ଚନ୍ଦନ ଚର୍ଚ୍ଚିତ
ଧୂଳି ତାର ମୁଣ୍ଡେ ବୋଳି ମଣେ ଧନ୍ୟ
ବିକଶେ ସୁମନେ ବାସ ଖୁସିର ମୁହୂର୍ତ୍ତ ।