ଖୋଲା କଥା
ଖୋଲା କଥା
ଖୋଲି କହିବାର ସମୟ ହାତ ପାଆନ୍ତାରେ
ଯାହା ଲୁକ୍କାୟିତ ରହିଛି ହୃଦୟ ଭିତରେ
ଆମ ବିଚ୍ଛେଦ ପଛର ଭିତିରି ରହସ୍ୟ
ବୋଧେ,ଭୁଲି ଯାଇଥିବ ଯାହା ପୁରୁଣା ଅବଶ୍ୟ
ପ୍ରଥମ ଦେଖାରେ ମନ ହେଲା ଯେବେ ଉଲ୍ଲସିତ
ଲୁଚି ଲୁଚି ଦେଖିଥିଲି ତୁମ ଯାତାୟାତ ପଥ
କ୍ରମେ ସାମନା-ସାମନି ଆଖିରେ-ଆଖିରେ
ଦୁହେଁ ଦୁହିଁଙ୍କୁ ଦେଖୁଥିଲେ ବାଟରେ ଘାଟରେ
ଆଖିର ଭାଷାରେ ହେଉଥିଲେ କଥା
ବୁଝି ହେଉଥିଲା ଅନ୍ତରର ଅକୁହା ବାରତା
ତୁମ ସ୍କୁଲ ଯିବା ଆସିବା ପଥ ଧାରେ ଧାରେ
ଦେଖିବାକୁ ଚାହିଁ ରହୁଥିଲି ସେହି ସମୟରେ
ମୁହଁ ଖୋଲି କିଛି କହିବାକୁ ନ ଥିଲା ସାହସ
ତୁମ ଭାବ ଭଙ୍ଗୀ ଦେଖି ମନ କେବଳ ହରଷ
ଆମ ଦେଖା ଦେଖି ଚର୍ଚ୍ଚା ପରିଧି ଭିତରେ
କ୍ରମେ ପ୍ରସାରିତ ହେଲା ଦୁଇ ଆତ୍ମୀୟ ମେଳରେ
ଉଭୟ ପକ୍ଷର ସାଙ୍ଗ ସାଥୀ ଥିଲେ ସୁନିଶ୍ଚିତ
ଦୁହିଁଙ୍କର ଚଲା ପଥ ଆପେ ହେବ କୁସୁମିତ
କାହାଣୀରେ ଅଚାନକ ମୋଡ ହେଲା ଆବିର୍ଭୁତ
ବିବାହ ପ୍ରସ୍ତାବ ଯେବେ ହେଲା ଉପନୀତ
ଚକ୍ରାନ୍ତ ଚଳାଇ ଆତ୍ମୀୟ ସ୍ୱଜନ
ବାଧା ସୃଷ୍ଟି ପରେ ଲକ୍ଷ୍ୟ ରହିଲା ଅପୂର୍ଣ୍ଣ
ଅଲଗା ଅଲଗା ହେଲା ଜୀବନର ଚଲା ପଥ
ଆଉ ଫେରି ନ ଚାହିଁଲ ପୂର୍ବ ପରିଚିତ ପଥ
ଆଖିର ଭାଷା ଆଖିରେ ରହିଲା ରହିଛି
ଚାତକ ପ୍ରାୟ ଏ ଜୀବନ ,ବର୍ଷା ବୁନ୍ଦା ଖୋଜୁଅଛି
ବର୍ଷାରେ ବି ତୃଷା ମେଣ୍ଟି ନାହିଁ
ସେଇ କଳା ମେଘ ରେ ହିଁ ମନ ଅଛି ରହି
ଅଦିନିଆ ମେଘ ପରି ଆସ ମୋ ଆଶାର ଆକାଶେ
ତୃଷା ବି ମେଣ୍ଟି ଯାଉ ସେହି ବର୍ଷା ବୁନ୍ଦା ର ପରଶେ ।