ଖଣ୍ଡିଆ ଭୂତ
ଖଣ୍ଡିଆ ଭୂତ
ହାଏ ସୁପ୍ରିମ କୁକୁଡ଼ା ଫାରମ
ହୋଇଅଛି ପୋଷାପାଳା
ଅଣ୍ଟିରୁ ପଇସା କାଢିଲେ ମଉସା
ମାଉଁସ ହୋଇବ ଗିଳା ।
ଚୂଳରେ ଝୁଲୁଛି ନାଲିଆ ମୁକୁଟ
ଗଳାରେ ବନ୍ଧା ଓଳଣ
ହାତରେ କଟୁରୀ ଧରିଛି ବାଇନ
ବିକୁଛି କିଲୋ ଓଜନ ।
ରାତି ଅଧକରେ କର ଭୋଜିଭାତ
ମଉଜ ବା ଖିଆପିଆ
ବାଇନ ଫାରମ ଖୋଲେ ଅବେଳରେ
ଉଚ୍ଚା ଦାମ୍ ଦିଆନିଆ ।
ପଇସାର ଖେଳ ଚାଲିଛି ସବୁଠି
ଆଇନ୍ ଯାଏ ବାଟେ ବାଟେ
ଭାସେ ସପନରେ ଗରିବ ଗୁରୁବା
ଓଦାକନା ଦେଇ ପେଟେ ।
ବଳି ପଡ଼େ ହୋଇ ଛେଳିମେଣ୍ଢା ଗାଈ
ଫାରମ କୁକୁଡ଼ା ପ୍ରାୟ
ଖଣ୍ଡିଆ ବିକାଶ ଭୂତ ଚକ୍ରବାତ
ତା ଦୁଃଖେ କିଏ ବା ଦାୟ ?
ମୁଣ୍ଡ ଝାଳ ତୁଣ୍ଡେ ମାରେ ଶ୍ରମଜୀବୀ
ଶୂନ୍ୟାକାଶେ ଚାଷୀ ଚାହେଁ
ରକ୍ତ ପାଣି ଫାଟି ନିଗିଡିଲେ ଯେତେ
ନ ପୂରେ ପେଟ ଚାଖଣ୍ଡେ ।
ବିଦ୍ୟା ପେଞ୍ଚପାଞ୍ଚ ଅତି ପରପଞ୍ଚ
ମାରାତ୍ମକ ପୁଞ୍ଜି ନିଶା
ପରର ରକତ ଶୋଷଣେ ବଢ଼ଇ
ଘୋଡ଼ା ଗାଡ଼ି କୋଠା ପେଷା ।
ବାଇନଙ୍କ ଭାଉ କହିଲେ ନସରେ
ମୁଣ୍ଡ ରେ ସୁନା କଳସ
ରାଜନୀତି ଉଚ୍ଚ ପଦପଦବୀ ଶ୍ରୀ
ବାବନ ଚନ୍ଦ୍ର ଭବିଷ୍ୟ ।
ନିରୀହ ଜନତା ରକତ ନ ଝରୁ
ଏ ଜଗତେ ଅକାରଣେ
ପ୍ରଭୁ ଚକ୍ରଧର ହୁଅନ୍ତୁ ସହାୟ
ରଖନ୍ତୁ ଛତ୍ର ଉହାଡେ ।
