STORYMIRROR

Kulamani Sarangi

Romance

3  

Kulamani Sarangi

Romance

କେଉଁ ନାମେ ଡାକିବି ତୁମକୁ

କେଉଁ ନାମେ ଡାକିବି ତୁମକୁ

1 min
187

ତୁମକୁ କହିବି ସମାନ୍ତର ରେଖା,

ମନ ବଳୁ ନାହିଁ ମୋର,

ବେଳେବେଳେ ତୁମେ ବାଟ ଭାଙ୍ଗିଦେଇ

ଛନ୍ଦିଦିଅ ମୋ ପୟର।।


ତ୍ରିଭୁଜ କହିଲେ ରାଗି ପଚାରିବ

"ତୃତୀୟ କୋଣଟି କାହିଁ ?"

ମାନିବନି ତମେ ଯେତେ ମନାକଲେ

ବସିବ ମୁହଁ ଫୁଲେଇ।।


କହିଲେ ତୁମକୁ ଜ୍ୟାମିତିକ ବୃତ୍ତ,

ତୁମ ମନେ ହେବ ଦୁଃଖ,

କହିବ "ଏ ସୀମା ରେଖା ଭିତରେ ମୁଁ 

ରହି ନପାଇଲି ସୁଖ"।।


ବର୍ଗକ୍ଷେତ୍ର କହିବାକୁ ଡର ଲାଗେ

ଦେବ କ୍ଷେତ୍ରଫଳ ଗୁଣି,

କହିବ "ଘରର କାମ ଅଧା କର

ବଡ ହାଲିଆ ହେଲିଣି"।।


ଭାବିଛି କହିବି ଏ ଜ୍ୟାମିତି ଛାଡି

ଗଣିତ ପଢିବାପାଇଁ,

ମିଶାଣ ଗୁଣନ ମନେ ରଖିବାକୁ

ସବୁ ପାଠ ଭୁଲିଯାଇ।।


ଫେଡ଼ାଣ ହରଣ କରୁଥିବ ଯେବେ

ଦୁଃଖ ଦେଉଥିବ ଦେଖା,

ସବୁ କଳାମେଘେ ଯୁକ୍ତ ହୋଇଥାଏ 

ବିଜୁଳି ଆଲୋକ ରେଖା।


ସେ ବିଜୁଳି ରେଖା ଗୁଣିତ ହୋଇଲେ

ଅନ୍ଧକାର ହୁଏ ଦୂର,

ଏକ ସୁଖ ସଙ୍ଗେ ଦ୍ୱିତୀୟ ମିଶିଲେ 

ମରୁରେ ଝରେ ନିର୍ଝର।।


ସବୁ ଯୁକ୍ତ ନାମ ସକାରାତ୍ମ ଭାବ

ବିଯୁକ୍ତ ନକାରାତ୍ମକ, 

ସବୁ ଗୁଣନରେ ହୁଏ ବୃଦ୍ଧି, ସବୁ

ହରଣ ଯେ ବିଭାଜକ।


ଏହି ଗାଣିତିକ ଦର୍ଶନରେ ଗଢା

ମନସ୍ତତ୍ବ ମାନବର,

ଗଢିବା ପଦାର୍ଥ ଭାଙ୍ଗି,ଭାଗ କଲେ 

ଦୁଃଖ ବଢିବା ହିଁ ସାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance