କେମିତିକା ଭୂତାଣୁ ତୁ
କେମିତିକା ଭୂତାଣୁ ତୁ


କେମିତିକା ଭୂତାଣୁ ତୁ
କେଉଁଠୁ ଆସିଲୁ
ଏ ସୁନ୍ଦର ପୃଥିବୀ କୁ
ନର୍କ କରିଦେଲୁ ।
କାଲି ଯେଉଁ ଘରେ ଥିଲା
ଖୁସିର ଆସର
ଦେଇ ଦେଲୁ ତାଙ୍କୁ ଆଜି
ଦୁଃଖର ଭଣ୍ଡାର ।
କାଳର କରାଳ ରୂପ
ସାଜି ତୁ ଆସିଲୁ
ବିନାଶର ଉଗ୍ର ରୂପ
ଦେଖାଇ ତୁ ଦେଲୁ ।
ପ୍ରଥମ ଦ୍ୱିତୀୟ ପରେ
ତୃତୀୟ ଲହରୀ
ଯିବା କଥା କରନା ତୁ
ଗଲୁକି ପାଶୋରି ।
କାହାକୁ ଭସାଇ ଦେଲୁ
କାଳର ସ୍ରୋତରେ
କିଏ ପୁଣି ହସିଦେଇ
ତତେ ଥଟ୍ଟା କରେ ।
ତୋର ଭୟାବହ ରୂପ
ଜାଣିବ ଯେ ସେଇ
ମେଡ଼ିକାଲ ଆଗରେ ଯେ
ବସିବ ଟି ଯାଇ ।
ସେଇଠାରେ ଶେଷ ହୁଏ,
ଟଙ୍କାର ବଡିମା
ଡାକ ପଡ଼ିଥାଏ ଖାଲି
ମଣିମା ମଣିମା ।
ଡାକ ଶୁଣ ପ୍ରଭୁ ଆହେ
ଜଗତର ନାଥ
ହାତେ ଧରି ନିଅ ଏବେ
ଏ ସଂସାର ରଥ ।
ତୁମ ପୃଥିବୀ କି ଏବେ
ତମେ ରକ୍ଷା କର
କରୋନାର ଏଇ କାଳ
କାୟାକୁ ବିନାଶ କର ।