କେମିତି କଟେ ତୋ ଦିନ
କେମିତି କଟେ ତୋ ଦିନ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗି ଯାଏ
ମଙ୍ଗଳ ଆରତୀ କର୍ପୁର ବାସ୍ନାରେ
ଗମ୍ଭୀରା ମହକୁ ଥାଏ ॥ ୦ ॥
ରାତି ପିନ୍ଧା ବାସ ବଦଳି ଯାଏ ତୋ
ତଡପଲାଗି ହୁଅଇ
ଦାନ୍ତପତ୍ର ଘଷି ସୁବାସିତ ଜଳେ
ସ୍ନାନକର୍ମ କରୁ ତୁହି
ନୂଆ ବେଶ ପିନ୍ଧି ଶ୍ରୀଅଙ୍ଗରେ ପୁଷ୍ପ
ତୁଳସୀର ଲାଗି ହୁଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗି ଯାଏ ॥ ୧ ॥
ମନ୍ଦିର ଜ୍ଯୋତିଷ ପାଠ କରିଥାନ୍ତି
ଗ୍ରହ ରାଶି ଅବସ୍ଥାନ
ମଙ୍ଗଳ ମୁହୂର୍ତ୍ତ ଅନୁସାରେ ନୀତି-
କାନ୍ତି ହେବାକୁ ସଂପନ୍ନ
ତା'ପରେ ସାହାଣମେଲାରେ ଦର୍ଶନ
ଭକତଙ୍କୁ ମିଳିଥାଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ॥ ୨ ॥
ସାହାଣମେଲାର ଦରଶନ ପରେ
ପୁଣି ନୂଆ ବେଶ ହୋଇ
ବଲ୍ଲଭ ଧୂପରେ କୋରାଖଇ ଛେନା
କଦଳୀ ଇତ୍ଯାଦି ଖାଇ
ଅପେକ୍ଷାରେ ରହୁ ସକାଳ ଧୂପର
ଖେଚଡି ଆସିବା ଯାଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ ॥ ୩ ॥
ସକାଳ ଧୂପର ସମାପନ ପରେ
ହୋଇଥାଉ ନୂଆ ବେଶ
ମଧ୍ଯାହ୍ନ ଧୂପରେ ନାନା ବ୍ୟଞ୍ଜନରେ
ମନ ହୋଇଯାଏ ତୋଷ
ତା'ପରେ ବିଶ୍ରାମ ନେଇଥାଉ ତୁହି
ସନ୍ଧ୍ୟାର ଆରତୀ ଯାଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ ॥ ୪ ॥
ସନ୍ଧ୍ୟା ଆରତୀରେ ରେଶମୀ ପାଟରେ
ଦିଶୁ କେଡେ ଶୋଭାବନ
ଦେଖି ସେହି ରୂପ ପୁରିଯାଏ ମନ
ଜୀବନ ହୁଅଇ ଧନ୍ୟ
ସନ୍ଧ୍ୟାଧୂପ ପରେ ଶେଷ ବେଶ ବଡ-
ସିଂହାର ତୋ ହୋଇଥାଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ॥ ୫ ॥
ତୋ ବଡସିଂହାର ଅତି ମନୋହର
ଦେଖି ଲାଖିଯାଏ ମନ
ଫୁଲ ଗଜରାରେ ଚନ୍ଦନଲାଗିରେ
ସୁଗନ୍ଧିତ ଅପଘନ
ଭୁଞ୍ଜି ଦହି-ଅନ୍ନ ଗଜମୋତି ପାନ
ମନ ତୋର ଖୁସୀ ହୁଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ ॥ ୬ ॥
ରତନ ପଲଙ୍କ ସଜା ହୋଇଯାଏ
ଶୋଇବା ପାଇଁ ତୋ ମନ
ଦେବଦାସୀ ନୃତ୍ୟ ଶ୍ରୀଗୀତଗୋବିନ୍ଦ
ସୁଲଳିତ ବଂଶୀ ସ୍ୱନ
ଶୁଣୁ ଶୁଣୁ ଶୋଇଯାଉ ତୁ କାଳିଆ
ରଜନୀ ପାହିବା ଯାଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ ॥ ୭ ॥
ଏହିପରି ବଡ ଅୟସରେ ତୋର
କଟେରେ କାଳିଆ ଦିନ
ହେଲେତୋ ସଂସାରେ କେତେ ଦୁଃଖୀରଙ୍କୀ
ହେଉଛନ୍ତି ହୀନିମାନ
ତୋ ବିନା ସେ ଦୁଃଖ ଶୁଣିବାକୁ ଆଉ
ଅଛି ଏ ସଂସାରେ କିଏ
ସକାଳୁ ସକାଳୁ ଖୁଣ୍ଟିଆ ଡାକରେ
ନିଦ ତୋର ଭାଙ୍ଗିଯାଏ ॥ ୮ ॥
*****