କବିତା ଲେଖା ପ୍ରେମ ୨
କବିତା ଲେଖା ପ୍ରେମ ୨
ପତ୍ନୀଙ୍କ ଉକ୍ତିରୁ ଲାଗିଲା,
ମୁଣ୍ଡେ ପଡ଼ିଲା ପ୍ରମାଦ
ଯଦି କବିତା ନ ଲେଖେ ତାଙ୍କ ପାଇଁ
ତାହେଲେ ବଢ଼ିବ ,
ଭାରତ-ଚୀନ୍ ପରି
ଆମ ମଧ୍ୟେ ସୀମା ବିବାଦ
ତେଣୁ ବହୁ ରକ୍ତ କିମ୍ବା ସ୍ବେଦ
ତାଙ୍କ ପାଇଁ ଲେଖିବାକୁ ହେବ ଦି' ପଦ
ତାଙ୍କ ପାଇଁ ଲେଖିବାକୁ ହେବ ଦି' ପଦ ।।
ଶୁଣି ପତ୍ନୀଙ୍କ ଏମନ୍ତ ବାଣୀ
ଭାବିଲି,
ପ୍ରେମର କଥାକୁ ଏବେ ଦେବି ବଖାଣି
କହିଲି, ଆଣିବକି ଗିଲାସେ ଥଣ୍ଡା ପାଣି
ତାକୁ ପିଇସାରି ଲେଖିବି ତୁମ ରୂପ କାହାଣୀ ।।
ତହିଁ ପରୁ ଲେଖିଲି,
"ହେ ଲାସ୍ୟମୟୀ, ହାସ୍ୟମୟୀ, ଲାବଣ୍ୟବତୀ ପ୍ରେମର ରାଗିଣୀ
ତୁମ ଲମ୍ବା ରେଶମୀ କେଶ ଆଉ ତେରେଚ୍ଛା ଚାହାଣି
କୁହ ପ୍ରିୟେ କୁହ !
ହେ ମର୍ତ୍ତ୍ୟର ସୌନ୍ଦର୍ଯ୍ୟ ରାଣୀ, ରୂପ ଗୁଣର ଖଣି
ଗଢ଼ିଲା ତୁମକୁ କେଉଁ ବିନ୍ଧାଣି
ଗଢ଼ିଲା ତୁମକୁ କେଉଁ ବିନ୍ଧାଣି ।"
"କେଉଁଠୁ ପାଇଲ ଏ ମୃଗ ନୟନ
ଗୋଲ ସଫା ନିର୍ମଳ ଚନ୍ଦ୍ର ବଦନ
କେଉଁଠୁ ପାଇଲ ମହୁଫେଣା ଓଠେ ସ୍ମିତ ମୁରୁକି ହସ
ପୁଣି କେଉଁ ବିନ୍ଧାଣିର କର କମାଲରେ
ନାକ ତଳେ ହଳେ ନିଶ
ନାକ ତଳେ ହଳେ ନିଶ ।"
" ହେ ପ୍ରେମମୟୀ, ଗୁଣବନ୍ତି ସ୍ମିତହାସି
ତୁମେ କୋକିଳ କଣ୍ଠି, ହେ ! ମିଷ୍ଟଭାଷି
ଦନ୍ତ ଯେ ତୁମର ତୀକ୍ଷ୍ଣ ଅଶୀ
ଦନ୍ତ ଯେ ତୁମର ତୀକ୍ଷ୍ଣ ଅଶୀ
କେଉଁଠୁ ପାଇଲ ମହୁଫେଣା ଓଠେ ସ୍ମିତ ମୁରୁକି ହସ
ପୁଣି କେଉଁ ବିନ୍ଧାଣିର କର କମାଲରେ
ନାକ ତଳେ ହଳେ ନିଶ
ନାକ ତଳେ ହଳେ ନିଶ ।"
" ତୁମ ପ୍ରତାପରେ ସଂସାର ମୋ ଥରେ
ଯେବେ ତୁମେ ଧର କଳିହୁଡ଼ି ବେଶ
ଭୟେ ଥର ଥର କମ୍ପେ ହୃଦୟ ମୋହର
କାଳେ ! ପ୍ରତାପେ ତୁମ୍ଭର, ହୋଇଯିବ ମୋ ସର୍ବନାଶ । "
କାଳେ , ହୋଇଯିବ ମୋ ସର୍ବନାଶ ।"
" ହେ ଶକ୍ତି ସ୍ୱରୂପିଣୀ, ଦୂର୍ଗା,ଦୂର୍ଗତି ନାଶିନୀ
କୃପା ଦୃଷ୍ଟି ତୁମ୍ଭ ମୋ ଠୁ ଫେରିଇ ନେବନି
ସାତ ଜନ୍ମ ପାଇଁ ହୋଇ ମୁଁ ରହିବି ସିଂହ
ଆଉ ତୁମେ ମୋ ସିଂହବାହିନୀ
ତୁମେ ମୋ ସିଂହବାହିନୀ ।"
ରାଗ ଗରଗର ହୋଇ ପତ୍ନୀ ମୋ କହିଲେ,
"ସେତିକିରେ ଥାଉ!
ଆଉ ବେଶି କିଛି ଲେଖନି
ଧୈର୍ଯ୍ୟର ସୀମାକୁ ପରୀକ୍ଷା କରନି ଆଉ
ନହେଲେ ତୁମ ବ୍ୟଙ୍ଗର ମୁଣାକୁ
ନାଶୀ ମୁଁ ସାଜିବି ସିଂହବାହିନୀ
ମହିଷା ପରିକା ତୁମ ଜାତିକୁ କରିବି ନାଶ
ଦେଖିବା ,
କେମିତି ତୁମେ ସୃଷ୍ଟି କରିବ ବ୍ୟଙ୍ଗ ରସ
କେମିତି ତୁମେ ସୃଷ୍ଟି କରିବ ବ୍ୟଙ୍ଗ ରସ ।"
ହୋଇ ହୋ !
କହିଲ ଦେଖି !
ଘଞ୍ଚ ଲମ୍ବା ଚୁଟି ମୋରେ କେଉଁଠୁ ଆସିଲା
ମୋର ତ ପତଳା କୁଂଚୁକୁଂଚିଆ କେଶ
କୁହ ! କୁହ !
ମୋତେ ଛାଡ଼ି ତୁମେ କେଉଁ ସ୍ତ୍ରୀର
ବର୍ଣ୍ଣନା କରୁଥିଲ ରୂପ ବେଶ ।।
ଫୁଟାଇବାକୁ ରସରେ ହସ
ନାକ ତଳେ ମୋର
ରୋପଣ କରି ପାର ତୁମ୍ଭେ
ହଳେ ଜୁଆଳିଆ ନିଶ,
କୁହ ! କୁହ !
ମୋତେ ଛାଡ଼ି ତୁମେ କେଉଁ ସ୍ତ୍ରୀର
ବର୍ଣ୍ଣନା କରୁଥିଲ ରୂପ ବେଶ ।।
କହିଲ ଦେଖି,
କେଉଁ କୋକିଳ କଣ୍ଠି, ମିଷ୍ଟଭାଷିର
ଦନ୍ତ ତୀକ୍ଷ୍ଣ ଅଶୀ
ନିଆଁ ଲଗା ତୁମ ମୁଣ୍ଡଟାରେ ବୋଧେ
କେହି ଦୁର୍ବୃତ୍ତ ଯାଇଛି ପଶି,
ନହିଲେ ତୁମ ମୁଣ୍ଡକୁ କ'ଣ ଏମିତି ବୁଦ୍ଧି ଜୁଟନ୍ତା
ମୋ ନାକ ତଳେ କ'ଣ ହଳେ ନିଶ ଉଠନ୍ତା ।।
ହୋଇ ହୋ !
ଯେତେ କହିଲେ ବି
ଲାଗୁଛି ତୁମେ ଏ ଜନ୍ମରେ ସୁଧୁରିବନି
ପୁଣି ଲେଖିଦେଲ,
" ତୁମ ମୋ ସିଂହ, ମୁଁ ତୁମ ସିଂହବାହିନୀ"
ତୁମକୁ କବିତା ଲେଖିବା କଥାଟା
ମୋର ଭୁଲ ହୋଇଲା,
ଚାଲ ଚାଲ !
ଶୋଇବ ଚାଲ , ତେଣିକି ରାତି ପାହିଲା ।।
ଦୀର୍ଘନିଶ୍ବାସେ ଏବେ ଭଗବାନଙ୍କୁ ସ୍ମରି
କହିଲି ,
" ହେ ପ୍ରଭୁ ! ଜନ୍ମ ତ ଦେଇଛୁ ଏମନ୍ତ
ପ୍ରକୃତି ଛାଡ଼ିବି କେମନ୍ତ
ପତ୍ନୀ ହେଲେ ଯେତେ ରୂପ ସୌନ୍ଦର୍ଯ୍ୟେ ଗୁଣବନ୍ତ
ପୁରୁଷ ମନଟା ସେତେ ସତେ କୁନ୍ତ କୁନ୍ତ ।।"
ପୁରୁଷ ମନଟା କୁକୁର ଲାଙ୍ଗୁଡ
ସହଜେ କି ସଳଖ ହୋଇବ
ଯେତେ ଥିଲେ ବି ସେ
ଆଉ ଦେ, ଆଉ ଦେ , କହିବ ।