କାଳିଆ ସାଆନ୍ତେ
କାଳିଆ ସାଆନ୍ତେ
ରତ୍ନ ସିଂହାସନେ ବସିଛ କାଳିଆ, ଖିଲି ଖିଲି ମୁହଁ କରି
ତୁମ ଭକ୍ତ ଆଜି ଗଡା଼ଉଛି ଲୁହ, ମୃତ୍ୟୁ ସହ ଯୁଦ୍ଧ କରି ।
ଜଗତର ନାଥ ଆହେ ଜଗନ୍ନାଥ, ଗୁହାରି ଶୁଣିବା ହେଉ
ଦରଶନ ଦିଅ ଦୁର୍ଦ୍ଧଶା ଦୂରେଇ,ସୁଖ ଶାନ୍ତି ମିଳିଯାଉ ।
ଭଙ୍ଗା କୁଡ଼ିଆରେ କାନ୍ଦୁଛି ଭକତ, ହୋଇ ଦରିଦ୍ର ଭିକାରୀ
ରତ୍ନ ସିଂହାସନେ ବସିଛ କାଳିଆ, ଖିଲି ଖିଲି ମୁହଁ କରି ।
କ୍ରୁର କାଳ ଆଜି କରାଳ ସାଜିଛି, ନେଇ ନିରୀହ ପରାଣ
ଅସହାୟ ହୋଇ ବୁଲୁଛି ମଣିଷ, ସାହା ହୁଅ ନାରାୟଣ ।
କେତେଦିନ ଆଉ ରହିବ ନୀରବେ, ଶ୍ରୀ ମନ୍ଦିରେ ତୁମେ ବସି
ଭକ୍ତ ଡାକ କିଆଁ ଶୁଭୁନି ତୁମକୁ, ପ୍ରାଣ ଯାଏ ତା'ର ଭାସି ।
ଦୟାକର ତୁମେ ହେ ଦୟାବାରିଧି, ଦୀନ ଦୁଃଖ ଦୂର କରି
ତୁମ ଭକ୍ତ ଆଜି ଗଡା଼ଉଛି ଲୁହ, ମୃତ୍ୟୁ ସହ ଯୁଦ୍ଧ କରି ।
ହେ କଳାବଦନ ଘେନି ନିବେଦନ, ଦୂର କର ଦୁଃଖ ହରି
ଦୀନବନ୍ଧୁ ତୁମେ ଦୟାର ସାଗର, ସଂସାରରୁ କର ପାରି ।
