କାହିଁ ଗଲୁ ମାଆ....
କାହିଁ ଗଲୁ ମାଆ....
କାହିଁ ଗଲୁ ମାଆ ଚାହିଁଚୁ ତୋ ବାଟ
ଭୋକେ ହେଉ ଛଟପଟ
ଆଣିଲେ ଆହାର ଦେବୁ ଖାଇବାକୁ
ଖୁସିରେ କରିବୁ ନାଟ।
ଗେଲ କରି ମାଆ କହି କରି ଗଲୁ
ଆସିବୁ ସଅଳ ଫେରି
ଦିନ ଯାଇ ପରା ରାତି ତ ହେଲାଣି
କାହିଁକି କରୁଛୁ ଡେରି।
ଅନ୍ଧାର ରାତିରେ ମାଡୁଅଛି ଡର
ଶୋଇଥାନ୍ତୁ ତୋ କୋଳରେ
ମାଆ ମାଆ ବୋଲି ଡାକିଲୁଣି କେତେ
ଫେରିବୁ ତୁ କେତେବେଳେ।
ପାରୁନାହୁଁ ମାଆ ସହି ଆଉ ଭୋକ
ଭାଇ ତ ପଡ଼ିଲା ଶୋଇ
ଯେତେ ଖୁମ୍ପିଲେବି ଉଠୁନାହିଁ ଆଉ
ଥଣ୍ଟ ରଖିଛି ମେଲାଇ।
ଚାରିଜଣ ଥିଲୁ ଜଣେ ଶୋଇଗଲା
ତଥାପି ତୁ ଫେରି ନାହୁଁ
ବରଷା ବତାସେ ଦୋହଲୁଛି ବସା
ନିରିଦୟ ହେଲୁ କାହୁଁ।
ସବୁଦିନ ଆସି ଆହାର ଦେଉ ତୁ
କେଣେଗଲୁ ମାଆ ଆମ
କାହା ଭରସାରେ ଛାଡ଼ି ରହିଗଲୁ
ଡାକେ ଆମକୁ ମରଣ।
ଡେଣା ନାହିଁ ଆମ ଉଡ଼ି ଶିଖିନାହୁଁ
ଚାଲିଗଲୁ ଏକା କରି
ଜଣଜଣ କରି ସଭିଏଁ ଶୋଇଲେ
ଖାଇବାର ଆଶା ଭରି।
ଯାଉଅଛି ମାଆ ଶୋଇଯିବି ଏବେ
ପାରୁନାହିଁ ଆଉ ସହି
ପାଞ୍ଚଦିନ ହେଲା ପଡିନି ଆହାର
ତନୁଟା ନିସ୍ତେଜ ହୋଇ।
ବିହଙ୍ଗ ବସାରେ ଅବୋଧ ଶାବକ
ଶୋଇଗଲେ ମୃତ୍ୟୁ କୋଳେ
ଥଣ୍ଟ ଚାରିଗୋଟି ମେଲା ରହିଅଛି
ଫେରିବକି ମାଆ କାଳେ।
କେଡେ ନିରିଦୟ ଅଟୁ ତୁହି ପ୍ରଭୁ
ମାତୃହରା କରିଦେଲୁ
ପକ୍ଷୀ ଶାବକ ସେ ଜାଣିବେ କିପରି
ତାଙ୍କୁ ବି ତୁ ନେଇଗଲୁ।