କାବ୍ୟ ନାୟିକା
କାବ୍ୟ ନାୟିକା
ଦିନେ ମୁଁ ସକାଳେ ଶେଯରୁ ଉଠି,
କବିତା ଲେଖିବି ଭାବିଲି ବସି।
କବିତା ଲେଖାକି ସହଜ କଥା,
ପ୍ଲଟର ଥାଏ ଆବଶ୍ୟକତା।
ସିଡ଼ି ଚଢ଼ି ଘର ଛାତକୁ ଗଲି ,
ଷୋଡ଼ଶୀ ତରୁଣୀ ତଳେ ଦେଖିଲି।
କବିତାର ପ୍ଲଟ ପାଇ ମୁଁ ଗଲି,
କବି ସମ୍ରାଟଙ୍କୁ ସ୍ମରଣ କଲି।
ତୁରନ୍ତ କାଗଜ କଲମ ଧରି
ଲେଖିଲି କବିତା ଧାଡ଼ିକି ଧାଡ଼ି।
ସୁନ୍ଦରୀଗୋ ତୁମ ରୂପ ଦେଖି
ଆଜି ହୋଇଯାଇଛି ମୁଁ ଫିଦା,
ହରିଣୀ ଆଖିରେ ମତୁଆଲା କଲ
ମୁଁ ବାପାଙ୍କୁ ଡାକୁଛି ଦାଦା।
ତୁମକୁ ଦେଖିଲେ କ୍ଳେଶ ଭୁଲିଯାଏ
ତୁମେ ସତେ ପ୍ରିତିମୟୀ,
ତୁମ ରୂପ ଆଗେ ଅପସରା ହାରିବେ
ଜହ୍ନବି ଯିବ ଲାଜେଇ।
ପାଦରେ ଅଳତା ଆଖିରେ କଜଳ, ଚାଲି ତମ ମଖମଲି,
ନୀଳଶାଢ଼ୀ ପିନ୍ଧି ଚାଲିଯାଅ ଯେବେ
ଦିଶ ସତେ ଝିଲିମିଲି।
ଆଗୋ ନିରୂପମା ତୁମେ ଅନୁପମା
ମୁକ୍ତାଝରା ତୁମ ହସ,
ଚାଲିଗଲେ ତୁମେ ଝରିପଡେ ତବ
ବାସରୁ ଅତର ବାସ।
ସାଗର ବୁକୁରେ ଶାମୁକା ଭିତରେ
ତୁମେ ସତେ ଗଜମୁକୁତା ,
ଆଗୋ ଅପରୂପା ଜଣା ନାହିଁ ସତେ
ତମକୁ ଗଢିଛି କେଉଁ ବିଧାତା ।
କି ସୁନ୍ଦର ସତେ ତୁମ ରୂପ ଠାଣି,
ଚାହାଣି ହେମ ହରିଣୀ,
ତୁମ ରୂପ ଦେଖି ଈର୍ଷା କରି ଥାଏ
ଆକାଶରୁ ଥାଇ ଚାନ୍ଦିନୀ ।
ରୂପା ବଗିଚାର ସୁନା ଫୁଲ ତୁମେ ତୁମେ ସତେ ମଧୁମତୀ ,
କବିତାରେ ମୋର ତୁମେ ଯେ ନାୟିକା
ତୁମ ବିନା ନାହିଁ ଗତି ।
ରୂପ ଲାବଣ୍ୟରେ ତୁମେ ଯେ ଶ୍ରେଷ୍ଠ
ତୁମ ସରି କେହି ନୁହଁ ,
ପୋଖରୀ ପାଣିରେ ପଣତ କାନିରେ
ମାଜୁଥାଅ ସୁନା ଦେହ ।
ଆଉ କେବେ ମୋର ଅଧା ରହିବନି
ପ୍ଲଟ ଅଭାବରୁ ଲେଖା ,
ଭବିଷ୍ୟତେ ପୁଣି କାବ୍ୟ ରଚିଲେ
ତୁମେ ହେବ ମୋ କାବ୍ୟ ନାୟିକା ।

