କ'ଣ ପାଇଁକି ଲେଖିବା କୁହ?
କ'ଣ ପାଇଁକି ଲେଖିବା କୁହ?
କବିତା କୁହ କି କାହାଣୀ କୁହ
ଯାହା ଯେତେ ଲେଖୁଥାଅ
ଶବ୍ଦ ସଂଯୋଜନା ପଦ ବିନ୍ୟାସରେ
ଯଦି ନଜର ନ ଦିଅ
ସର୍ବୋପରି ଯଦି ଲେଖା ନ ଛୁଉଁଛି
କେଉଁ ପାଠକ ହୃଦୟ
କ'ଣ ପାଇଁକି ଲେଖିବା କୁହ ?(୧)
ଲେଖକ ଲେଖୁଛି ପାଠକ ପାଇଁକି
ଗରାଖ ପାଇଁ ଦୋକାନ
ଅଭିନେତା ନାଚେ ଦର୍ଶକ ପାଇଁକି
ଭକ୍ତ ପାଇଁ ଭଗବାନ
ଏତେ ପରେ ଯଦି ପାଠକମାନଙ୍କୁ
ଭାବୁଥିବା ଆମେ ହେୟ
କ'ଣ ପାଇଁକି ଲେଖିବା କୁହ?(୨)
ଦିନ ରାତି ବସି ଲେଖ ମନା ନାହିଁ
ବାରମ୍ବାର ପଢିନିଅ
ଅକ୍ଷର ବନାନ ମାତ୍ରା ଅଳଙ୍କାର
ଉପରେ ନଜର ଦିଅ
ଏତେ ପରେ ଯଦି ଏତେ ଲେଖୁଅଛି
ମନେ ଗର୍ବ ବହୁଥାଅ
କ'ଣ ପାଇଁକି ଲେଖିବା କୁହ?(୩)
ଦିନକୁ ମୁଁ ଏତେ କବିତା ଲେଖିଲି
ସେଟା ବଡ଼ କଥା ନୁହଁ
କେତୋଟି କବିତା ମୂଲ୍ୟବାନ କେତେ
ନିଜେ ନିଜେ ତଉଲାଅ
ଗୋଟିଏ ସୃଜନୀ ନ ହେଲା ଯଦିବା
ସାରତତ୍ତ୍ଵ ଭାବମୟ
କ'ଣ ପାଇଁକି ଲେଖିବା କୁହ?(୪)
ଗଳ୍ପ କି କବିତା ନାହିଁ ଯଦି ବାର୍ତ୍ତା
କବିତାଟି ଲାଗେ ଶସ୍ତା
ସଂସ୍କୃତି ଐତିହ୍ୟ ପୁଣି ଭାଷାଜ୍ଞାନ
ନାହିଁ ଯହିଁ ବାସ୍ତବତା
ଏତେ ପରେ ଯଦି ବଡ଼ ଲେଖକର
ଦେବା ଆମେ ପରିଚୟ
କ'ଣ ପାଇଁକି ଲେଖିବା କୁହ?(୫)
ଲେଖକ ଲେଖେନି ସମ୍ମାନ ପାଇଁକି
ଲେଖେ ସମାଜର ହିତେ
ତେଣୁ ଏ ସାହିତ୍ୟ ଜଗତେ ବିଦିତ
ବଞ୍ଚିଛି ଲେଖକ ହାତେ।
କର୍ତ୍ତବ୍ୟକୁ ଛାଡ଼ି ସମ୍ବର୍ଦ୍ଧନା ପଛେ
ନିଜେ ଯଦି ପଡୁଥାଅ
କ'ଣ ପାଇଁକି ଲେଖିବା କୁହ?(୬)
ଆମେ ଲେଖିପାରୁ ଦ୍ଵିତୀୟ ଈଶ୍ୱର
ମଞ୍ଚପରେ ଯଦି କୁହ
ଦୃଷ୍ଟି ଆକର୍ଷଣେ ରାଷ୍ଟ୍ରପତିଙ୍କର
ପୁରସ୍କାର ବରଂ ପାଅ
ଏତେପରେ ଯଦି ନ ଜିଣିଛ ଭାଇ
ଜଣେ ପାଠକ ହୃଦୟ
କ'ଣ ପାଇଁକି ଲେଖିବା କୁହ?(୭)
ନିଜ ପଇସାରେ ନିଜେ ବହିଛାପି
ନିଜେ ଉନ୍ମୋଚନ କରି
ନିମନ୍ତ୍ରଣ ଦେଇ ପଇସାରେ କିଣି
ମଣ୍ଡପରେ କିଛି ତାଳି।
ମାଗଣା ବହିଠୁ ପାଠକ ଯଦିବା
ଫେରାଇ ନିଅନ୍ତି ମୁହଁ
କ'ଣ ପାଇଁକି ଲେଖିବା କୁହ?(୮)
କବି ରତ୍ନ କବି ଭୂଷଣ ପଣ୍ଡିତ
ବାଣୀଶ୍ରୀ କବି ମଞ୍ଜୁଳ
କବି ସୌରଭ କି ବାସ୍ତବ କୈବଲ୍ୟ
ହାଟ ଖାଲି ଉପାଧିର
ଲେଖାରୁ ଯଦିବା ବ୍ୟବଧାନ ଥାଏ
ଉପାଧିର ପରିଚୟ
କ'ଣ ପାଇଁକି ଲେଖିବା କୁହ?(୯)
ପଞ୍ଚସଖା କବି ଯାହା ଲେଖିଛନ୍ତି
ମୁରୂଖ ଅଧମ ଭଣି
ଆଜିକାର କବି ନିଜ ନାଆଁ ଆଗୁଁ
ଲେଖୁଛନ୍ତି କବିମଣି
ଯେଉଁ ଦିନ ଯାଏ ବିଣାପାଣିଙ୍କର
କୃପା ବୋଲି ଭାବି ନାହଁ
କ'ଣ ପାଇଁକି ଲେଖିବା କୁହ?(୧୦)
ପାଠକୀୟ ଶ୍ରଦ୍ଧା ଲେଖକ ଗାମୁଛା
ମଞ୍ଚପର ଫୁଲ ତୋଡା
ପାଠକ ସ୍ଵୀକୃତି ଶ୍ରେଷ୍ଠ ମାନପତ୍ର
ତାଳି ପୁରସ୍କାର ପରା
ଏ ସବୁ ଯଦିବା ପଛରେ ପକାଇ
ନିଜେ ଶ୍ରେଷ୍ଠ ଭାବୁଥାଅ
କ'ଣ ପାଇଁକି ଲେଖିବା କୁହ?(୧୧)
ଲେଖିବା ଅଭ୍ୟାସ ଭଲ ଗୁଣ ଭାଇ
ହେଉ ସଦା ମାର୍ଜନୀୟ
ମଣିଷ ମାତ୍ରକେ ଦୋଷ ତ୍ରୁଟି ଥାଏ
ସୁଧୁରିବାରେ ବିଧେୟ
ତ୍ରୁଟି ଦେଖେଇବା ପାଠକ ଯଦିବା
ନ ହେଉଛି ଗ୍ରହଣୀୟ
କ'ଣ ପାଇଁକି ଲେଖିବା କୁହ?(୧୨)
ନିଜ ଢୋଲ ନିଜେ ପିଟି ଚାଲିବାରେ
ପ୍ରତିଭା ହୁଅଇ ହ୍ରାସ
ନିଜର ଛାତିରେ ପ୍ରଚାର ବ୍ୟାନର
ମିଳେ ଯାହା ପରିହାସ
ଏ ସମାଜ ପାଖେ ଆମ ସୃଷ୍ଟି ଯଦି
ହେଉନାହିଁ ଗ୍ରହଣୀୟ
କ'ଣ ପାଇଁକି ଲେଖିବା କୁହ?(୧୩)
କାହାକୁ ଆକ୍ଷେପ କରୁନାହିଁ ଭାଇ
କିଛି ମନେ ଭାବ ନାହିଁ
ଲେଖିବା ଅଭ୍ୟାସ ଅବ୍ୟାହତ ରହୁ
ଭୁଲ୍ ଯିବ ଠିକ୍ ହୋଇ
"ମୁଁ"କାର ଶବ୍ଦଟି ହୃଦୟରୁ ଲିଭୁ
ସୃଷ୍ଟି ହେଉ ପରିଚୟ।
