ଜୟ ମାଆ ମହାଲକ୍ଷ୍ମୀ
ଜୟ ମାଆ ମହାଲକ୍ଷ୍ମୀ
ଜୟ ମହାଲକ୍ଷ୍ମୀ ସିନ୍ଧୁ ରାଜଜେମା
ବିଷ୍ଣୁଙ୍କ ହୃଦୟ ହାର l
କି ବର୍ଣିବି ମାତା ମହିମା ତୋହର
ଅଟେ ଅନନ୍ତ ଅପାର ll
ରତନ ଭୂଷଣୀ ସୁବର୍ଣ୍ଣ ବରଣୀ
ପିତା ଯା ରତ୍ନ ଆଗାର l
ମହୋଦଧି ନୀରେ କ୍ଷୀରାବ୍ଧୀ ଶୟନ
ସିନ୍ଧୁ ସେ ମହାସାଗର ll
ସଂସାରର ଶିରି ଅଟୁ ମାଆ ଲକ୍ଷ୍ମୀ
ବାସ ତୋ ଶିରି ମନ୍ଦିର l
ଶ୍ରୀକ୍ଷେତ୍ର ମଣ୍ଡନି ଶ୍ରୀରୂପରେ ମାତ
ବିଖ୍ୟାତ ନାମ ତୋହର ll
ପଦ୍ମାଳୟା ପଦ୍ମା ପଦ୍ମିନୀ ପଦ୍ମଜା
କମଳିନୀ ପଦ୍ମାସନୀ l
ପଦ୍ମଗନ୍ଧା ରମା ବିଷ୍ଣୁ ମନୋରମା
ଜୀବ ପାଳିକା ଜନନୀ ll
ଶ୍ରୀକ୍ଷେତ୍ରେ ପାଚିକା ତ୍ରିପୁରେ ଅର୍ଚ୍ଚିତା
ରନ୍ଧା ତୋ ମହାପ୍ରସାଦ l
ପ୍ରାପ୍ତମାତ୍ରେ ଭକ୍ଷ୍ୟ ଅମୃତ ପ୍ରତ୍ୟକ୍ଷ
ପଳାଇ ଘୋର ବିଷାଦ ll
ଅଷ୍ଟଲକ୍ଷ୍ମୀ ରୂପେ ଐଶ୍ୱର୍ଯ୍ୟ ଦାୟିନୀ
ଲୋଡ଼ା କି ଆଉ ଐଶ୍ୱର୍ଯ୍ୟ l
ରତ୍ନାକର ଜେମା ପୁଜନ ଗାରିମା
ସିଦ୍ଧି ହୁଅଇ ନିଧାର୍ଯ୍ୟ ll
ସୁର ନର ବନ୍ଦ୍ୟା ବନ୍ଦଇ ଅବିଦ୍ୟା
ମାଆ ଲୋ ପଦ୍ମଲୋଚନୀ l
ଅଭୟ ଚରଣେ ଶରଣ ବାଞ୍ଛିଲି
ପାମର ମୁଢ଼ ଅଜ୍ଞାନୀ ll
