କବିତା - ଜ୍ଞାନଭାଣ୍ଡ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୫-୨୦୨୫
କି ବିଷମ ସଙ୍କଟେ
ସଙ୍କଟାପନ୍ନ ଏ ଛାର ପାମର
ସମ୍ଭାବନା କି ବିଡମ୍ବନା
ଜାଣି ପାରୁନି
ଏ ଅଧମ ଦାସାନୁଦାସ କିଂକର
ବାପା କହୁଥିଲେ
ମଣିଷ ଜୀବନ ପରା ଖୋଲା ପୁସ୍ତକ
ଯେତେ ପୃଷ୍ଠା ଉଲଟେଇବ
ସେତେ ଜ୍ଞାନ ଆହରଣ ହେବ
ସେତେ ଅମୂଲ୍ୟ ଅନୁଭବ ଆସିଯିବ
ସମସ୍ୟାର ସ୍ଥାୟୀ ନିଦାନ ଆଶୁ ସମାଧାନ
ଆଖି ପଲକ ଝଲକରେ ମୁଣ୍ଡରେ ପଶିଯିବ
ସତେ ଯେମିତି ଲିଖିତ ସୂତ୍ର କୁହୁକ
ଅଧୁନା ମୋତେ ଲାଗୁଛି
ସବୁ ଅବାନ୍ତର ଯୁକ୍ତି ମୂଳକ ଉକ୍ତି
ଥିଲା ବାପାଙ୍କର
ସବୁ ଅବାସ୍ତବ ମନଭୁଲାଣିଆ ସୁକ୍ତି
ଥିଲା ଭୂଆଁ ବୁଲେଇବାର
ଜୀବନ ମାନେ ସମସ୍ୟା ଉପରେ ସମସ୍ୟା
ଲଦା ଲଦି ହେଲା ପରି
ଏକ ସମାଧାନ ନ ସରୁଣୁ
ଅନ୍ୟ ଏକ ବସିଛି ଗୋଡ଼ ପ୍ରସାରୀ
ଅଦରକାରୀ ରଦ୍ଦି ବହି ପରି ମୋ ଜୀବନ ରେଖା
ଯିଏ ବହି ମଲାଟ ଦେଖିଲା
ଛୁଇଁଲାନି
ମୁଁହ ମୋଡି ଦେଇ ପଳେଇଲା
ସତେ ଯେମିତି
ଅସିଦ୍ଧ ଦାମୀ ଔଷଧ ବୋତଲ ହୋଇଛି ରଖା
ଯିଏ ପୃଷ୍ଠା ଖୋଲିଲା
ଦୁଇ ଚାରି ଥର ଓଲଟ ପାଲଟ କଲା
ପଢିଲାନି
ଆଖି ଚୋରେଇ ତରତରରେ ପାରିଗଲା
ସତେ ଯେମିତି
ଅବୋଧ୍ଯ ଅଗମ୍ୟ ଲକ୍ଷ୍ମଣରେଖା
ଯିଏ କେଇ ଧାଡି ପଢିଲା
ମଝିରୁ ଶେଷରୁ ମନ ଇଚ୍ଛାରେ
ବୁଝିଲାନି
ଏପଟ ସେପଟ ଚାହିଁ ରାସ୍ତା ଧରିଲା
ସତେ ଯେମିତି
ଅବୋଧଗମ୍ୟ ଜ୍ଞାନକୋଷ ପସରା
ଯିଏ ପାଞ୍ଚ ଦଶ ମିନିଟ
ବହି ଓଲଟ ପାଲଟ କଲା
କିଛି ସମୟ ପଢିଲା
ମନକୁ ମନ କାହା ସହିତ କଥା ହେଲା
ବୁଝି ପାରିଲା
ବହିର ମର୍ମଲେଖା
ପଇସା ଦେଇ କିଣିଲା
ଘରକୁ ଆଣିଲା
ତନ୍ନ ତନ୍ନ କରି ପଢିଲା
ଆଉ
ଦର୍ଶନ ହେଲାନି
କୁଆଡ଼େ ପାଗଳ ଦାର୍ଶନିକ ପରି
ପତ୍ତା ମିଳିନାନି
ନଷ୍ଟ ସମାଜର ଗଳି କନ୍ଦିରେ କାହିଁ ଆସରା
ଏମିତି ଅନେକ ଦ୍ଵନ୍ଦ ଭିତରେ ଭିତରେ
କୁହୁଳୁଥାଏ
ଅଦିନିଆ କାଳବୈଶାଖର ପୂର୍ବାଭାସ ପରି
ଦଳକାଏ ଥଣ୍ଡା ପବନ
ମନ ମଗଜକୁ କଲା ରସୋର୍ତ୍ତିର୍ଣ୍ଣ
ମୁଖ ପୁସ୍ତିକା କାନ୍ଥରେ ପଢିଲି
ଚୁମ୍ବକୀୟ ଧାଡି
ପଚାଷ ବର୍ଷ ତଳର ବିସଙ୍ଗତି
କୁଆଡ଼େ ସବୁ ଉଡିଗଲେ
ପତ୍ତା ମିଳିଲାନି କାନମୋଡି
ସମସ୍ୟା ବଳୟ ହୋଇପାରେ ଧୂମମୟ
ସମସ୍ୟା ଅଛି ମାନେ
ସମାଧାନ ଆସିବ ହେଲେ ଉଚିତ ସମୟ
ସମସ୍ୟା ଗଜୁରେ ଯେମିତି ମୁଣ୍ଡରେ
ସମାଧାନ ସୂତ୍ର ଯେମିତି ତୁଣ୍ଡରେ
କେବଳ ପୁସ୍ତକ କହିବ ଜ୍ଞାନଭାଣ୍ଡରେ