ଜନନୀ
ଜନନୀ
ସରଗଠୁ ବଡ ଜନନୀ ମୋହର
ତା ସମ ହୋଇବ କିଏ ?
ଯେଉଁଠି ଯେମିତି ରହିଛି ମୁଁ ଆଜି
ସବୁରି ମୂଳରେ ସିଏ ।୧।
ଦଶମାସ ସିଏ ଗରଭରେ ଧରି
ଜନମ ଦେଇଛି ମୋତେ ।
କେତେ ଅପାଶୋରା କଷଣ ସହିଛି
ଜଠରରେ ରଖି ମୋତେ ।୨।
ନିଜ ଜୀବନର ସୁଖ ଯାହାଥିଲା
ସବୁ କରିଦେଲା ଦୂର ।
ପାଶୋରିଲା ନିଜ ଦୁଃଖ ମୋତେ ଦେଖି
କି ଆନନ୍ଦ ହେଲା ତା'ର ?୩।
ଦଶ ଭାଇ ଭଗ୍ନୀ ହୋଇଥିଲୁ ଆମେ
ସଭିଙ୍କୁ ଯତନେ ପାଳି ।
ନିଜର ଖାଇବା ପିିଇବା ଭୁଲିଲା
ସହି ଅଳି ଅରଦଳି ।୪।
ବଡ ବଇଦ ସେ ଆମ ଘରେ ଥିଲା
ରଖି ସବୁ ଜଡିବୁଟି ।
କେତେ ପ୍ରକାରର ଚିକିତ୍ସା କରିଲା
ଚନ୍ଦନ ପେଡାରେ ବାଟି ।୫।
ସକାଳୁ ସଅଳ ବଢା ଭାତ ରାନ୍ଧି
ମୁଗଡାଲିକୁ ସିଝାଇ ।
ଚକଟି ତାହାକୁ ପିଲାଙ୍କୁ ଖୁଆଏ
କେତେ ମଜା କଥା କହି ।୬।
ତା କାନି ପଣତ ତଳେ ରହି ଆମେ
ସଭିଏଁ ହୋଇଲୁ ବଡ ।
ପ୍ରତିଦାନ କିଛି ଦେଇ ନପାରିଲୁ
ଆମ ଆଗେ ହେଲା ଜଡ ।୭।
ଅବିରତ ଲୁହ ବହୁଥିଲା ତା'ର
ଦେଖିଲେ ଆମରି ଦୁଃଖ ।
ସେ କଥା ସୁମରି ଆଜି ମୋ ଆଖିରୁ
ବରଷୁ ଅଛି ଲୋତକ ।୮।
ଜନନୀର ଋଣ ଜୀବନରେ କେବେ
ଶୁଝି କି ପାରିବ କିଏ ?
ଢାଳୁଛି ପ୍ରଣତି ପାଦତଳେ ତା'ର
ସଦା ମୁଁ ତା' ପୁଅ ହୁଏ ।୯।
