STORYMIRROR

Kulamani Sarangi

Tragedy

3  

Kulamani Sarangi

Tragedy

ଜୀବନ ତୁମକୁ----

ଜୀବନ ତୁମକୁ----

1 min
14.1K


ଜୀବନ ତୁମକୁ-----


ଜୀବନ ! ତୁମକୁ ଭେଟିଥିଲି ଦିନେ,

ନାଆରେ ମଝିନଈରେ,

ଦଦରା ନାଆରୁ ପାଣି କାଢି ତାକୁ

ବାହୁଥିଲ ଉଜାଣୀରେ,


ଆଉ ଥରେ ପୁଣି ଭେଟ ହୋଇଗଲା

ସମୁଦ୍ରର ବାଲି ତଟେ,

ଜୀବନ ସଂଘର୍ଷ କରୁଥିଲ ତହିଁ

ଖାଇ ଝାଲ୍ ମୁଢି ମୁଠେ।


ଭେଟିଲି ତୁମକୁ ଜୀବନ ! ମୁଁ ଥରେ

ସହର ଉପଗଳିରେ,

ଅଧା ଅନ୍ଧ ହୋଇଯାଇଥିଲ ତୁମେ

ଝଲମଲ ଆଲୁଅରେ।


ଥିଲା ସେଇ ଆଲୁଅକୁ ନେଇ ତୁମ

ମନେ ଅହମିକା ଭାରି,

ବୁଣୁଥିଲ ବୁଢିଆଣି ସୁତାରେ ଯେ

କେତେ ସ୍ୱପ୍ନ ଅସୁମାରୀ


ଭୁଲିଗଲ ସବୁ ସମ୍ପର୍କ, ବନ୍ଧନ,

ଆପଣାପଣ ଯା ଥିଲା,

ନିଜ-ପର ନିକିତିରେ ତଉଲିଲ

ଯାହା ଆଖିରେ ପଡିଲା।


ତୁମ ଧମନୀର ରକତକୁ ତମେ

କହିଲ ନର୍ଦ୍ଦମା ପାଣି,

ତାର ଅଭାବରେ କାମଳ ରୋଗରେ

ପଡିଅଛ ଜାଣି ଜାଣି।


ନିଜେ ତ ନିଜକୁ କାଚଘରେ ବନ୍ଦୀ-

କରି ରଖିଲ ଜୀବନ !

ବାହାରର ଗନ୍ଧ ଦୂରେଇଲ ହେଲେ,

ନପାଇ ଖୋଲା ପବନ।


ଅଧାଭଙ୍ଗା କିଛି ସ୍ୱପ୍ନକୁ ସଜେଇ

ଗଢିଲ କାଗଜ ଘର,

ଭାଙ୍ଗିଗଲା ଦିନେ ଝଡ ତୋଫାନରେ

ଆଜି ହୋଇଛ ବେଘର।


ନିଜ ଲୁହ ପିଇ ବଂଚିଛ ଜୀବନ !

କାନ୍ଦି ସକେଇ ସକେଇ,

ଚୋର ମାଆ ହୋଇ ଅନ୍ଧାରରେ ବସି

ଆଲୁଅକୁ ଆସନାହିଁ।


ଯେଉଁଠାରୁ ତୁମେ ଆସିଥିଲ ସେହି

ନଈପଠା ଭୁଲିଗଲ,

ମାଟିରେ ମିଶିଛି ଭଙ୍ଗା କୁଡିଆ ଯା

ନିଜହାତେ ଗଢିଥିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy