ଜୀବନ ଜ୍ୟୋତି
ଜୀବନ ଜ୍ୟୋତି
ଜୀବନ ଜିଁଇବା ସରଳ ନୁହଇ
ଅବା ନୁହଇ ଦରଦ,
ମଣିଷ ଜୀବନେ ଉଭୟ ପାଇବ
ଯାହାକୁ ଯାହା ମିଳିବ।
ଏହି ପାଦେ କଣ୍ଟା ଏହି ପାଦେ ଫୁଲ
କ୍ଷଣ କ୍ଷଣକେ ବଦଳେ,
ଚାହିଁବାର ବସ୍ତୁ ଚାହିଁଲେ ନ ମିଲେ
ସବୁ ସମୟର ବଳେ।
ଦିନରାତି ମିଶା ସମୟ ଚକରେ
ଚାଲିଛି ସବୁ ଚାଲିବ,
ନିଜ ନିଜ କର୍ମ ନିଜେ ହିଁ ଭୋଗିବ
କେହି ତ ସାଥେ ନ ଥିବ।
ବିଧିର ବିଧାନ ନୋହିବଟି ଆନ
ଏହା ହିଁ ନିରାଟ ସତ୍ଯ,
ସଂସାର ମଧ୍ଯରେ ଘଟଣା କ୍ରମଟି
ପୂର୍ଣାଙ୍ଗରେ ଅବିଚ୍ଛେଦ୍ୟ।
କିଛି ଆଣିନାହିଁ ନବ ନାହିଁ କିଛି
ଶୂନ୍ଯ ହସ୍ତରେ ସେ ଯିବ,
ଏ ମର୍ତ୍ତ୍ଯ ମଣ୍ଡଳେ ତା କାର୍ଯ୍ୟକଳାପ
ସ୍ମୃତି ହୋଇ ରହିଯିବ।
ଯେଉଁ ଦୀପଟିଏ ଫୁଲ ହୋଇ ଦିନେ
କାନନରେ ଫୁଟିଥିବ,
ସେହି ଦୀପ ଦିନେ କାଳାନୁକ୍ରମରେ
ଆପେ ଆପେ ବୁଯିଯିବ।
ମୁକତି ଲଭିବ ପ୍ରଭୁ କୃପା ହେଲେ
ପ୍ରେମ ଓ ଭକ୍ତିର ଛଳେ,
ସ୍ଥାନ ମିଳିଯିବ ଶରଣ ପଶିଲେ
ପ୍ରଭୁଙ୍କ ଚରଣ ତଳେ।
