ଝୁରୁଛି ଯମୁନା
ଝୁରୁଛି ଯମୁନା
କୃଷ୍ଣ କେଶବ ହେ ଘେନ ଅନୁରୋଧ,
ଗୋପପୁର ଆଜି ଭୋଗୁଛି ପ୍ରମାଦ ।
ନନ୍ଦରାଜା ଘର ଲାଗେ ଆଜି ଶୁନ୍ୟ,
ସଖା ସହୋଦର ଝୁରେ ପ୍ରତିକ୍ଷଣ ।
ଗୋପନାରୀ କୁଳେ ପଡ଼େ ହାହାକାର,
ତୁମବିନା ପ୍ରଭୁ ଗୋପ ଅନ୍ଧକାର ।
ଝୁରୁଛି ଗୋଠ ଯେ ଝୁରି ଗୋପବାସୀ,
ତୁମ ବଂଶୀସ୍ଵନ ବିନା ନାହିଁ ଖୁସି ।
କର୍ତ୍ତବ୍ୟ ପଥରେ ଗଲ ସିନା ଚାଲି,
ମାମୁଁ କଂସାସୁର ଡାକିଛନ୍ତି ବୋଲି ।
ଲକ୍ଷ୍ୟ ତୁମ ସିନା ଶାନ୍ତିର ପ୍ରତିଷ୍ଠା,
ଅତ୍ୟାଚାର ହରି କାର୍ତ୍ତବ୍ୟରେ ନିଷ୍ଠା ।
ଅନ୍ୟାୟ କଷଣ ଅସହ୍ୟକୁ ଦେଖି,
ଦୁଷ୍ଟ ନିବାରଣ କରିବ ପରଖି ।
ବନ୍ଦୀଘରୁ ମୁକ୍ତ କରି ପିତାମାତା,
ମଥୁରା ନଗରୀ ଶାନ୍ତିପାଇଁ ଚିନ୍ତା ।
ଗୋପପୁର ଆଜି ତୁମବିନା ତୁଚ୍ଛ,
ରାଧାରାଣୀ ଦୁଃଖ ବାରିହୁଏ ସ୍ୱଚ୍ଛ ।
ଝୁରୁଛି ଯମୁନା ଝୁରେ ଗୋପପୁର,
ଆଉଥରେ ଆସ ପ୍ରଭୁ ଚକ୍ରଧର ।