ଝଡ଼ି ପଡ଼ିଲେ ଝରଣା
ଝଡ଼ି ପଡ଼ିଲେ ଝରଣା
ମନ ଝରଣା ସେ ବନ ଝରଣା l
ସୁର ତାଳ ଲୟେ କେଳିପ୍ରବୀଣା ll
ଅଦିନ ମେଘର ଅଦିନ ଝଡ଼ି l
ପାହାଡ଼ୁ ବାହାରି ଚାଲଇ ମାଡ଼ି ll
ମଲା ଜହ୍ନେ ଖୋଜି ଶଶ କଳଙ୍କ l
ନବଜନ୍ମ ଲଭି ଛାଡ଼ିଲା ଛାପ ll
ଅଙ୍କା ବଙ୍କା ଗଡ଼ି ଅମଡ଼ା ବାଟେ l
ପଥରେ ଆକାଶବାଣୀକୁ ଭେଟେ ll
ଦୂରଦର୍ଶୀ ବାର୍ତ୍ତା ଦୂରଦର୍ଶନେ l
ଝରଣାକୁ ଛାଡ଼ି କେ ହେବ ଜଣେ ll
ସମୟ ତ ବଳବାନରେ ଭାଇ l
ଛେଳିଜଗେ ବଣରେ ତଅପୋଇ ll
ଘରମଣି ଘରମଣି ଡାକରେ l
ଝୁମୁ ଅପା ବୁଲେ ବନ ଭିତରେ ll
ହିସାବ ନିକାସ ତୁଟାଇ ଦେଇ l
ଝରଣା ମିଶିଛି ନଦୀରେ ଯାଇ ll
ଆକାଶ ବାଣୀର ଉପସ୍ଥାପିକା l
କେତେ ଛାପ ଛାଡ଼ି ଛପି ଛପିକା ll
ଲାଲପାନ ବିବି ଲତା ଲାବଣ୍ୟ l
ଛଟା ଘଟା ଛନ୍ଦ କାନ୍ଦ କାରୁଣ୍ୟ ll
ଝୁରେ ଝରଣାକୁ ଦୂର ଦର୍ଶନ l
ଓଡ଼ିଆ ସିନେମା ଅଲିଭା ଚିହ୍ନ ll
ଝୁରୁଛି ଉତ୍କଳ କଳା ଜଗତ l
ସିନେମା ନାଟକ କଳାସାହିତ୍ୟ ll
ନାହିଁ ପଟାନ୍ତର ସହିତେ ତୋର l
କୋଟି ହୃଦେ ହୋଇଗଲୁ ଅମର ll
ଝର ଝର ଝରି ଭଉଣୀ ରାଣୀ l
ଝରଣା ଶୁଭୁନି ଆଉ ତୋ ବାଣୀ ll
ଦିବ୍ୟ ଧାମେ ଭଗ୍ନୀ କର ତୁ ବାସ l
ଏତିକି ମାତର ମୋର ସନ୍ଦେଶ ll
ଶ୍ରୀଜଗନ୍ନାଥ ହେ କରୁଣାର୍ଣ୍ଣବ l
ହେ ବିଶ୍ୱବିଧାତା ବିଶ୍ୱବାନ୍ଧବ ll
ମିନତି ଜଣାଏ ଭଗ୍ନୀକୁ ମୋର l
ପଦେ ଆଶ୍ରା ଦେବୁ କମଳାବର ll
