ଜଗନ୍ନାଥ ତୁମେ ପରଂବ୍ରହ୍ମ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଜଗନ୍ନାଥ ତୁମେ ପରଂବ୍ରହ୍ମ ଅନନ୍ତ ଅସୀମ
ବ୍ରହ୍ମରୁ ତୁମର ସୃଷ୍ଟି କରିଛ ଏ ଧରାଧାମ,
ତୁମେ ମହାପ୍ରଭୁ ମହାମହିମ ପୁରୁଷୋତ୍ତମ
ତୁମଠୁ ଆରମ୍ଭ ତୁମଠି ଶେଷ ସବୁ ଧରମ।
ନିରାକାରରେ ତୁମେ ହିଁ ଅଖଣ୍ତ ମଣ୍ଡଳାକାର
ଆକାରରେ ବ୍ୟାପ୍ତ ଭୂମିରୁ ଭୂମା ସଚରାଚର,
ପଞ୍ଚଭୂତ ଅଣୁରୁ ପରମାଣୁ ତୁମ ସ୍ଵାକ୍ଷର
ଜଡ଼ ଚେତନ ଯେତେ ସବୁର ତୁମେ ସୂତ୍ରଧର।
ବ୍ରହ୍ମରେ ତୁମର ବ୍ରହ୍ମମୟ ଏ ସାରା ସଂସାର
ଇଙ୍ଗିତେ ତୁମର ଦିନରାତି ଆଲୋକ ଅନ୍ଧାର,
ତୁମେ ଇଚ୍ଛାମୟ ଦୟାମୟ କରୁଣା ସାଗର
ଜଗତର କଲ୍ୟାଣରେ ଅଛ ତୁମେ ନିରନ୍ତର।
ତୁମରି ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ ଦିଅନ୍ତି ଆଲୋକ
ତରୁଲତା ଡାଳେ ଫୁଟି ଫୁଲ ଦିଅଇ ମହକ,
ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ ହୁଅଇ ମୂଲକ
ଦିଅ ସବୁ ପ୍ରାଣୀଙ୍କର ହୁଏ ଯାହା ଆବଶ୍ୟକ।
ତୁମେ ଅବ୍ୟୟ ଅକ୍ଷୟ ତୁମେ ଅନାଦି ଅନନ୍ତ
ତୁମେ ସତ୍ୟ ସନାତନ ତୁମେ ଚିନ୍ମୟ ଶାଶ୍ଵତ,
ତୁମରି କୃପାରେ ବିଶ୍ଵ ବ୍ରହ୍ମାଣ୍ଡ ପରିଚାଳିତ
ତୁମେ ତ୍ରିକାଳ ଅତୀତ ବର୍ତ୍ତମାନ ଭବିଷ୍ୟତ।
ତୁମେ ଜୀବନର ଆଶା ଭାଷା ବିଶ୍ଵାସ ଭରସା
ଆରତ ଜନଙ୍କର ଆରତେ ଘୁଞ୍ଚାଅ ଦୁର୍ଦ୍ଦଶା,
ଜୀବର ଭାଗ୍ୟ ବିଧାତା ଆଶିଷ କର ବରଷା
ତୁମରି ଦୟାରେ ମେଣ୍ଟଇ ପ୍ରାଣୀର କ୍ଷୁଧା ତୃଷା।
ତୁମେ ପ୍ରାଣର ସ୍ପନ୍ଦନ କର ଜୀବନ ସଞ୍ଚାର
ହାତରେ ଧରିଛ ତୁମେ ସବୁରି ଜୀବନ ଡ଼ୋର,
ତୁମ ହୃଦୟ କନ୍ଦରୁ ଝରଇ ଅମୀୟ ଝର
ଭବ ସାଗର ଜଳରୁ ତୁମେ ହିଁ ଉଦ୍ଧରି ଧର।
ଜଗନ୍ନାଥ ତୁମେ ପରଂବ୍ରହ୍ମ ଅଗତିର ଗତି
ଫେଡ଼ି ସଂସାରର ଦୁର୍ଗତି ଦିଅ ତୁମେ ମୁକତି,
ଶ୍ରଦ୍ଧାଳୁ ତୁମଠାରେ ରଖିଥାଏ ଭାବ ଭକତି
ଚରଣେ ଶରଣ ନେଇ ତୁମକୁ କରେ ପ୍ରଣତି।
