ହୃଦୟ ଖୋଜେ ତୁମକୁ
ହୃଦୟ ଖୋଜେ ତୁମକୁ
ଦିନ ରାତି ଯିଏ ବାସ ଚହଟାଇ
ମୋ’ ଅଗଣାକୁ ମହକାଏ
ତୁମବିନା ପ୍ରୀୟା ଗନ୍ଧହୀନ ହୋଇ
ତୁଚ୍ଛ ନିଜେ ମଣୁଥାଏ ।
ଆସିବ କହି ଚାଲିଗଲ ତୁମେ
କେତେ ଆଶା ଦେଲ ମନେ
ତୁମ କଥା ଭାବି ଦିନ ମୋର ବିତେ
ତୁମକୁ ଦେଖେ ସପନେ ।
ମୋ କୁସୁମ ବନ ତୁମକୁ ଝୁରୁଛି
ପ୍ରେମ ସ୍ପର୍ଶ ତୁମ ଖୋଜେ
ତୁମ ସ୍ମୃତି ସବୁ ହୃଦୟରେ ରଖି
ସୌନ୍ଦର୍ଯ୍ୟରେ ତୁମ ହଜେ ।
ଗୋରାଦେହେ ତୁମ ହଳଦି ବସନ
ହୃଦୟକୁ ନିଏ ମୋହି
ତୁମ କୃଷ୍ଣକେଶେ ଭ୍ରମରେ ଭଅଁର
ପାଗଳ ହୋଇଲି ମୁହିଁ ।
ଚନ୍ଦ୍ରମାର ଶୋଭା କଳାଦାଗ ପାଇଁ
ଦିସେ କେଡେ ମନୋହର
ତୁମ ଶୋଭା ପ୍ରୀୟା କଳଜାଇ ପାଇଁ
ଚୋରିକଲା ମନ ମୋର ।
ବିରହ ବେଦନା ଦିଅନାହିଁ ଆଉ
ବାସ୍ତବିକ ଆସ ଚାଲି
ତୁମରି ବାଟକୁ ଅନେଇ ରହିଛି
ହୃଦୟ ଝରକା ଖୋଲି ।

