STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ହର ଦୁଃଖୀ ଦୁଃଖ ହେ ପଙ୍କଜ ମୁଖ

ହର ଦୁଃଖୀ ଦୁଃଖ ହେ ପଙ୍କଜ ମୁଖ

1 min
258

     ( ରାଗ -- କଳହଂସ କେଦାର )


ହର ଦୁଃଖୀ ଦୁଃଖ ହେ ପଙ୍କଜ ମୁଖ 

ତୁମ ଚରଣେ ଶରଣ ଦେଇ ରଖ ଯେ,

ମୋ ଅଳି ଶୁଣି କୃପା ଦୃଷ୍ଟିରେ ଦେଖ

ସଂସାର ସାଗରେ ହୁଏ ମୁଁ ବିମୁଖ ଯେ।୧।


ଚକା ନୟନରେ ଦେଖୁଛ ଜଗତ

କେମନ୍ତେ ଦେଖୁନ ଦୁଃଖୀର ଆରତ ଯେ ?

ମିଛ ମାୟା ଲୋଭ ମୋହରେ ମୁଁ ପଡ଼ି 

ଭବ ସିନ୍ଧୁ ଜଳେ ଯାଉଅଛି ବୁଡ଼ି ଯେ।୨।


ଅଗତିର ଗତି ଜୀବର ଜୀବନ

ତୁମେ ପରଂବ୍ରହ୍ମ ସତ୍ୟ ସନାତନ ଯେ,

ତୁମେ ପରମାତ୍ମା ପରମ ପୁରୁଷ

ଦୟାକରି ବାରେ ଦିଅ ହେ ଆଶିଷ ଯେ।୩।


ନନ୍ଦିଘୋଷେ ବସି କର ରଥଯାତ୍ରା

ବଢ଼ି ବଢ଼ି ଯାଏ ମୋ ଦୁଃଖର ମାତ୍ରା ଯେ,

ଦୁଃଖ ଦେଖି ତୁମେ କେମିତି ସହୁଛ 

ଦୀନବନ୍ଧୁ ଆର୍ତ୍ତତ୍ରାଣ ନାମ ତ ପାଇଛ ଯେ।୪।


ଘୋଷଯାତ୍ରା କରି ବଡ଼ଦାଣ୍ଡେ ଯାଅ

ଭାଇ ଭଉଣୀକୁ ସାଥୀ କରି ନିଅ ଯେ,

ତୁମ ଯିବା ବାଟେ ପଡୁନି ନଜର

ଦେଖୁନ କି ତୁମେ କରି ଦିଅ ପର ଯେ ?୫।


ତୁମ ପାଶେ ନାହିଁ ପରା ଭେଦାଭେଦ

ତେବେ କିମ୍ପାଇଁ ଆସୁଛି ଅବସାଦ ଯେ ?

ଏକ ପରେ ଏକ ଆସୁଛି ବିପଦ

ମନରୁ ହଜେ ସୁଖ ଶାନ୍ତି ଆନନ୍ଦ ଯେ ?୬।


କେତେ କେତେ ଭକତକୁ ରଖ ତାରି

ମୋ ବେଳକୁ କିଆଁ ହେଉଛ ବଇରି ଯେ,

କିଏ କ'ଣ ଦେଲା ମୁଁ ଅବା ନଦେଲି

ସେଥିପାଇଁ ପାଇଁ କି ଯାଉଛ ଭୁଲି ଯେ ? ୭।


ଉଦ୍ଧାରି ରଖିଲ ମୃଗ ଗଜରାଜ

କୁବୁଜା ଶବରୀ ହେଲେ ତୁମ ନିଜ ଯେ,

ଦାସିଆ ବିଦୁର ସାଲବେଗ ଆଦି

ଭକତିର ଭାବେ ହେଲ ତୁମେ ବନ୍ଦୀ ଯେ।୮।


କୁରୁସଭା ସ୍ଥଳେ ଦ୍ରୌପଦୀର ମାନ

ରଖିଲ ହେ କୋଟି ବସ୍ତ୍ର କରି ଦାନ ଯେ,

ଆଉ ଆନେ ତୁମେ କରୁ ଅଛ ମନା

ଏ କି ନୁହେଁ ପକ୍ଷପାତ ବିବେଚନା ଯେ।୯।


ଉଡ଼େ ତୁମ ପତିତପାବନବାନା

କୃପାସିନ୍ଧୁ ବୋଲି ତୁମେ ଜଣାଶୁଣା ଯେ,

ଆନ ଭକତକୁ କର ନାହିଁ ଊଣା

କିଞ୍ଚିତେ ହେଲେ ବି ଦିଅ ହେ କରୁଣା ଯେ।୧୦।


ନତ କରି ଶିର ତୁମ ପାଶେ ମାଗେ

ବିନୟେ ମିନତି କରେ ମୁଁ ଆବେଗେ ଯେ,

ଘେନ ମୋର ଭକ୍ତି ତୁମେ ହେ ସରାଗେ

ମନେ ପ୍ରାଣେ ଅଛି ତୁମ ଅନୁରାଗେ ଯେ।୧୧।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract