ହେ ! ନ୍ୟାୟାଧୀଶ
ହେ ! ନ୍ୟାୟାଧୀଶ
କେତେବେଳେ କୁହ ସବୁଠାରେ ଅଛ
କେତେବେଳେ କୁହ ନାହିଁ,
ଦୁଃଖିକୁ ଦେଉଛ ଦୁଃଖ ପରେ ଦୁଃଖ
ସୁଖ ପଛେ ପଛେ ଥାଇ ।
ହେ ! ନ୍ୟାୟାଧୀଶ
କେମିତିକା ନ୍ୟାୟ ଏ କେଉଁ ବିଚାର
କେଉଁ ପ୍ରକାରର ଯଶ ?
କେତେବେଳେ କୁହ ସବୁ କରୁଅଛ
କେତେବେଳେ କର ନାହିଁ,
କଂସକୁ ମାରିଛ ବଂଶକୁ ହାରିଛ
ଅଂଶ ତୋର କେହି ନାହିଁ ।
ହେ ! ନ୍ୟାୟାଧୀଶ
କେଉଁ ନ୍ୟାୟ ବଳେ ନିଜର ସୃଷ୍ଟିକୁ
ନିଜେ କରୁଅଛ ନାଶ ?
ବାଦ୍ୟକାର ଖୋସେ ଅଣ୍ଟିରେ ପଇସା
ଢୋଲ ଖାଉ ଥାଇ ମାଡ଼ ,
ଷଣ୍ଢ ଧାନ ଖାଏ ବନ୍ଧା ପଡ଼େ ତନ୍ତୀ
ଘେରି ନାହିଁ ବୋଲି ବାଡ଼ ।
ହେ ! ନ୍ୟାୟାଧୀଶ
ସେ କେଉଁ ନ୍ୟାୟରେ ଯୋଗୀ ମାଗେ ଭିକ
ରୋଗୀ ଖାଉ ଥାଇ ବିଷ ?
ସାଧୁ ଡାକେ ହରି ପାପୀ ଯାଏ ତରି
ଦୋଷୀ ପାଏ ନାହିଁ ଦଣ୍ଡ ,
ମହାଜନ ରହେ ମହା ପ୍ରାସାଦରେ
ଅଭାବୀର ବଡ଼ ଦାଣ୍ଡ ।
ହେ ! ନ୍ୟାୟାଧୀଶ
ତୁମେ ଶୋଇ ଅଛ କ୍ଷୀର ସାଗରରେ
ଭକ୍ତ କିଆଁ ପିଏ ଶୋଷ ?
