ହେ ମହାଶିବ
ହେ ମହାଶିବ


ହେ ମହାଶିବ କର ପରାଭବ
ଯେତେ ରିଷ୍ଟ ଯେତେ ଦୁଃଖଭାବ
ମୋ ଶରୀରେ ପ୍ରଭୁ ହୁଅ ବିରାଜିତ
ଭରିଦିଅ ଶକ୍ତି ଭକ୍ତିଭାବ |
ଅଧମ ଅକ୍ଷମ ଅବୋଧ ବାଳକ
କରେ ତବ ପାଦେ ନିବେଦନ
ଉଠାଇ ତ୍ରିଶୂଳ ଆହେ ମହାକାଳ
କର ମହାମାରୀ ନିପାତନ |
ହସିବି ଖେଳିବି ପାଠଶାଳା ଯିବି
ପଢିବି ଗଢିବି ମୋ ଜୀବନ
ଦେଶର ଦଶର ନାମ ରଖିଯିବି
ସୃଷ୍ଟିକୁ କରିବି ମୁଁ ମହାନ |
ଦିଅ ହେ ଆଶିଷ ମନରେବିଶ୍ୱାସ
ଧୈର୍ଯ୍ୟ ଅଫୁରନ୍ତ ଆନନ୍ଦର
ଆହେ ଯୋଗୀଶ୍ୱର ପ୍ରଭୁ ହରିହର
ମନୁ ଇର୍ଷା ଦ୍ୱେଷ ଦୂରକର |
ଅମାପ ସହନ ଶକତି ଦିଅହେ
ସବୁ ଝଡଝଞ୍ଜା ସହିବାର
ହେ କୈଳାସପତି କରୁଛି ମିନତି
ଦିଅ ଶକ୍ତି ଅଧ୍ୟବସାୟର |
ହେ ଶିବାପତି ପାର୍ବତି ପତି
ପାରି କର ଏ ଭବ ସାଗର
ସକଳ ବୈଶିଷ୍ଟ୍ୟ ଭରିଦଅ ପ୍ରଭୁ
ସର୍ବ ବୋଧ ଜ୍ଞାନ ଦର୍ଶନର
|
ହେ ଉମା ଶଙ୍କର ବିଘ୍ନ ନାଶ କର
ତପସ୍ବୀଟେ ମୋତେ କରିଦିଅ
ସତ୍ୟ ଧର୍ମ ନ୍ୟାୟ ପଥରେ ଅଟଳ
ରହିବାକୁ ମୋତେ ଶକ୍ତିଦିଅ |
ଆହେ ଚନ୍ଦ୍ରଚୂଡ ଆହେ ଗଙ୍ଗାଧର
ଶିକ୍ଷାଦିଅ ଦୃଢ ତପସ୍ୟାର
କରି ଯୋଗ ଧ୍ୟାନ ହୋଇବି ନିପୁଣ
ପ୍ରକୃତି ଶକ୍ତି ଆହରଣର |
ଆହେ ଭୋଳାନାଥ ପ୍ରଭୁ ଲୋକନାଥ
ହେ ସଦାଶିବ ଉମା ଶଙ୍କର
କରୁଣାବତାର ସଂସାରରେ ସାର
ଭୂଜଗେନ୍ଦ୍ର ହାର କୃପା କର |
ଭରିଦିଅ ଭକ୍ତି ହୃଦୟେ ମୋହର
ପୂଜିବି ତୁମକୁ ନିରନ୍ତର
ସତ୍ୟ ନ୍ୟାୟ ଧର୍ମ ପଥରେ ରହିବି
ମନୁ ଭୟ ଭ୍ରାନ୍ତି କରିଦୂର |
ପଶୁପତିନାଥ ଅନାଥର ନାଥ
ହେ ନୀଳକଣ୍ଠ ଚନ୍ଦ୍ର ଶେଖର
ଦିଅ ମୋତେ ଶକ୍ତି ସବୁ ସହିବାର
ଯେତେ ଦୁଃଖ କଷ୍ଟ ଜୀବନର |
ରହି ଉଜାଗର ଜାଳୁଅଛି ଦୀପ
ଅଜ୍ଞାନ ତିମିର ଦୂରକର
ସକଳ ଜନର ଜ୍ଞାନୋଦୟ ହେଉ
କରିଚାଲୁ କଲ୍ୟାଣ ବିଶ୍ୱର |