STORYMIRROR

Manorama Mohanty

Classics

4  

Manorama Mohanty

Classics

ହେ ମାଆ

ହେ ମାଆ

1 min
330

ସିଂହବାହିନୀ ମାଆ ଶୁଣ ମୋ ଦୟିନୀ

 ଦେଖା ମୋତେ ସତ୍ୟ ପଥ

କେତେବେଳେ ମୋତେ କାଳ ବାନ୍ଧିନେବ

  ନାହିଁ ଆଉ ବେଶୀ ବାଟ ।


ଜ୍ଞାନୀ ପାଇଁ ତୁମେ ଜ୍ଞାନ ର ମାଧ୍ୟମ

 କର୍ମୀ ପାଇଁ ତୁ ଈଶ୍ଵରୀ

ଭକ୍ତ ପାଇଁ ତୁ ଲୋ ମାଆ ଦୟାମୟୀ

  ବୁହାଉ କରୁଣା ବାରି ।


ତୁ ବିଶ୍ୱ ବନ୍ଦିତା ସଶକ୍ତି ସ୍ୱରୂପା

  ଦଶଭୁଜା ସ୍ୱୟଂସିଦ୍ଧା

ତୋ କୃପା ନେତ୍ରରେ ଚାହିଁ ଦେଲୋ ଥରେ

  ବିଭାସିବ ଏ ବସୁଧା ।


ସିନ୍ଦୁର ଶୋଭିତା ମାତ ଆଦିମାତା

  ଦୁର୍ଗେ ଦୁର୍ଗତିନାଶିନୀ 

ଦୁଃଖ ବେଳେ ଯେବେ ଭକତେ ଡାକନ୍ତି 

 ଦୁଃଖ ନିବାରୁ ତୁ ପୁଣି ।


କେବେ ପୁଣି ତୁ ପରମ ବୈଷ୍ଣଵୀ

 ସାତ୍ତ୍ଵିକ ଓ ନିଷ୍ଠାବତୀ

ସକଳ ତୀର୍ଥର ପୂଜ୍ୟା ପୂଜାରିଣୀ

  ତୁ ଲୋ ଶ୍ରେଷ୍ଠ ବ୍ରହ୍ମଜ୍ୟୋତି ।


ସୃଷ୍ଟି ଧ୍ବଂସ ଅବା ବିଲୟେ ପ୍ରଳୟେ

  ଧରି ତୀକ୍ଷ୍ଣ ଖଣ୍ଡାଧାର

ତ୍ୟାଗ ବଳିଦାନେ ଧୈର୍ଯ୍ୟ ଓ ସହନେ 

  ତୁମେ ନିପୁଣ ସବୁର ।


ସୁବିଶାଳ ତୁମ ହୃଦୟ ଭିତର

 ମମତାର ଗନ୍ତାଘର 

ହେ ଆଦି ଜନନୀ ସଙ୍କଟ ହାରିଣୀ

  ତୋ ପାଦେ କୋଟି ଜୁହାର ।


ଜନନୀ ଭଗିନୀ ଜାୟା ତୁ ମୋହିନୀ

  ତ୍ରିବିଧ ରୂପେ ସମ୍ବୁତ

ସତ୍ତ୍ୱ ରଜ ତମ କରିଣ ଧାରଣ

  ଦୁଷ୍ଟକୁ କରୁ ତୁ ହତ ।


ନିଃସ୍ୱାର୍ଥ ସେବକ ଜନ୍ମରୁ ଲାଂଛିତ

  ଚିନ୍ତା ଚେତନା ରେ ବୁଡ଼େ

ଯାତନା ଯୁଇରେ ନିତି ଜଳି ଏଠି 

  ତୋ ଦିବ୍ୟନାମ କୁ ହୁଡ଼େ ।


ତଥାପି ହେ ମାଆ କରି ଥରେ ଦୟା

 କଣ୍ଠେ ହୁଅ ଉପଗତ

ତୁମରି ଆଶିଷେ କ୍ଷଣକ ଭିତରେ

  ମୁଖେ ଉଚ୍ଚାରେ ତୋ ମନ୍ତ୍ର ।


ମାଆ ହୁଅ ସାହା ଦେବୀ ପୁଣ୍ୟତୋୟା

 ତୁଷ୍ଟ କର ବିଶ୍ୱପ୍ରାଣ

ବିଶ୍ୱ ବାସୀ ସୁଖେ କରୁ ତା'ର ମୁଖେ

  ମାଆ ତୋର ଜୟ ଗାନ ।


ତୋର ପାଦପଦ୍ମେ ପ୍ରଣମୀ ସତତ

  କରେ ଆତ୍ମ ନିବେଦନ

ଘୋର ବିପଦରୁ ଉଦ୍ଧାରି ଧରି ମା

  କର ମୋତେ ପରିତ୍ରାଣ ।


Rate this content
Log in

Similar oriya poem from Classics