ହେ ଚକାନୟନ ଅଗତିର ଗତି ଦୁ଼ଃଖ ନାଶନ
ହେ ଚକାନୟନ ଅଗତିର ଗତି ଦୁ଼ଃଖ ନାଶନ
ହେ ଚକାନୟନ
ଅଗତିର ଗତି ଦୁଃଖ ନାଶନ,
ଶୁଣ ମୋ ଜଣାଣ
ଆରତେ ଡାକୁଛି ଦିଅ ଦର୍ଶନ।
ତୁମେ ଆର୍ତ୍ତତ୍ରାଣ
ଗରିବ ଜନର ଗୁହାରି ଶୁଣ,
ହେ ମଧୁସୂଦନ
କରେ ନିବେଦନ ଦିଅ ଶରଣ।
ଦୁଃଖେ ଯାଏ ଦିନ
ସଂକଟରେ ପଡ଼ି ଭୋଗେ କଷଣ,
ତୁମେ ଜନାର୍ଦ୍ଦନ
କୃପା କର ମୋତେ ହେଉ କଲ୍ୟାଣ।
ଘୋର ବନେ ଥାଇ
ମୃଗୁଣୀ ଡ଼ାକିଲା ବିକଳ ହୋଇ,
ତା' ପାଖକୁ ଯାଇ
ଉଦ୍ଧାରି ରଖିଲ ଆଶିଷ ଦେଇ।
ଗଜରାଜ ଡ଼ାକ
ଶୁଣି ପ୍ରଭୁ ତୁମେ ରଖିଲ ଟେକ,
ଏମିତି ଅନେକ
ଯଶ କୀର୍ତ୍ତି ତୁମ ବ୍ରହ୍ମାଣ୍ଡ ଯାକ।
ଅନାଥର ନାଥ
ହୋଇ ତୁମେ ବିଭୁ ଦେଖାଅ ପଥ,
ତୁମେ ଜଗନ୍ନାଥ
ପୂର୍ଣ୍ଣ କରି ଦିଅ ହେ ମନୋରଥ।
ପତିତପାବନ
ବାନା ଉଡ଼େ ତୁମ ଏ ତ୍ରିଭୁବନ,
ତୁମେ ଚିରନ୍ତନ
ଧର୍ମ ରକ୍ଷା କର ହେ ସନାତନ।
ଡାକ ମୋର ଶୁଣି
କୃପା କର ପ୍ରଭୁ କରେ ମାଗୁଣି,
ଆହେ ନୀଳମଣି
ପ୍ରାଣୀଙ୍କୁ କରାଅ ତୁମେ ଅଗ୍ରଣୀ।
ଭକତର ବନ୍ଧୁ
ଭକତ ବତ୍ସଳ ହେ କୃପାସିନ୍ଧୁ,
ମୁଁ ଯେ ଏକ ବିନ୍ଦୁ
ଆରତ ମୋ ଶୁଣ ହେ ଦୀନବନ୍ଧୁ।
ହେ ଚକାନୟନ
ଅଗତିର ଗତି ଦୁଃଖ ନାଶନ,
ଚରଣେ ଶରଣ
ଦିଅ ମହାପ୍ରଭୁ କରେ ଜଣାଣ।
