ଗୃହ ଲକ୍ଷ୍ମୀ
ଗୃହ ଲକ୍ଷ୍ମୀ
ଘରକୁ ସୁନ୍ଦର କୁଳ ବଧୂଟିଏ
ହୋଇଥିଲେ ଗୁଣବତୀ,
ପରିବାର ମଧ୍ୟେ ସ୍ନେହ ପ୍ରେମ ଦାନେ
ଅରଜଇ ସେ ସୁକୀର୍ତ୍ତି ।
ବାହା ହୋଇ ଆସେ ନବ ବଧୂ ବେଶେ
ହାତ ଧରି ଆଣେ ସ୍ଵାମୀ,
ଗୃହକୁ ବୈକୁଣ୍ଠ ମଣି ପତ୍ନୀ ରୂପେ
ଗୃହେ ହୁଏ ଗୃହଲକ୍ଷ୍ମୀ ।
ଦୀପ ଶିକ୍ଷା ପରି ଆଲୋକ ଦିଅଇ
ସବୁରି ସେବାର ଥାଇ,
ତ୍ଯାଗପଣ ତାର ଜୀବନ ଆଦର୍ଶ
ଯତ୍ନ କରେ କଷ୍ଟ ପାଇ ।
ଘରକୁ ମନ୍ଦିର ସମ ଗଢି ତୋଳେ
ଗୁରୁଜନେ କରି ଭକ୍ତି,
ପୁତ୍ର କନ୍ୟା ପାଳେ ମମତା ବିତରି
ପରିବାରର ସେ ଶକ୍ତି ।
ଉତ୍ସର୍ଗୀକୃତ ତା' ସମଗ୍ର ଜୀବନ
ସେବିକା ରୂପେ ସେ ଦେବୀ,
କଲ୍ୟାଣ କାରିଣୀ ଅନ୍ନଦାତ୍ରୀ ସିଏ
ସହିଷ୍ଣୁତାରେ ପୃଥିବୀ ।
ପରିବାର ଲାଗି ଦୁଃଖ କ୍ଳେଶ ସହି
କରେ ନାହିଁ ମନ ଊଣା,
ସବୁରି ଅଧରେ ହସ ଭରି ଦିଏ
ନ ପାଉ ପଛେ ପାଉଣା ।
ସହନଶୀଳା ସେ ତୁଠର ପଥର
ଧୈର୍ଯ୍ୟ ତାର ସୀମାହୀନ,
ସ୍ବାମୀ ପୁତ୍ର କନ୍ଯା ମଙ୍ଗଳ ବିଧାନେ
ସମର୍ପି ଦିଏ ଜୀବନ ।
ଗୃହ ଲକ୍ଷ୍ମୀ ଭାବେ ସଦା ଶୁଭ ଚିନ୍ତେ
କରେ ବ୍ରତ ଉପାସନା,
ଗୃହର ପ୍ରଗତି ଲାଗି ଥାଏ ରତ
ସେ ତାର ପୂଜା ଅର୍ଚ୍ଚନା ।
ଗୃହ ଲକ୍ଷ୍ମୀ ଯେବେ ହୁଅଇ ଅଲକ୍ଷ୍ମୀ
ପରିବାର ଯାଏ ଭାସି,
ଦୈନ୍ୟ ଅଭାବରେ ଦୁରବସ୍ଥା ଭୋଗୀ
ହଜି ଯାଏ ସବୁ ଖୁସି ।
ସେ ଦେବୀର ମାନ ରଖିଲେ ଅକ୍ଷୁର୍ଣ୍ଣ
ପ୍ରଭୁ ଦିଅନ୍ତି ଆଶିଷ,
ବନ୍ଦନା ତାହାର କରି ସୁସନ୍ତାନ
ଯଶ ଅରଜେ ଅଶେଷ ।
