ଘରତୋଳା
ଘରତୋଳା
ଅବସର ପରେ ମିଳିଲା ସମୟ ପାଇଥିଲି କିଛି ଧନ,
ସେହି ଧନବଳେ ଘର ତୋଳିବାକୁ ବିକଳ ହୋଇଲା ମନ ।
ଜୀବନ ସାରା ତ ଭଡ଼ାଘର ଆଉ ସରକାରୀ ଘରେ ଥିଲି,
ଘର ତୋଳିବାକୁ ଜାଗା କିଣିବାକୁ ବଡ଼ କିଲିବିଲି ହେଲି ।
ଅବସର ପ୍ରାପ୍ୟ ସଞ୍ଚୟ ଧନକୁ ମିଶାଣ ଫେଡ଼ାଣ କଲି,
ଜାଗା କିଣୁକିଣୁ ସବୁ ସରିଗଲା ପକେଟ ହୋଇଲା ଖାଲି ।
ଋଣପାଇଁ କେତେ ଦୁଆର ବୁଲିଲି ଜାଗାକୁ ବନ୍ଧକ ଦେଇ,
ଆଣିଥିବା ଧନ ନିଅଁ ପଡୁପଡୁ କୂଆଡ଼େ ଗଲା ଉଭେଇ ।
ସରକାରୀ କଳ ବାବୁମାନେ ତେଣେ ବସିଥିଲେ ଜନ୍ତାଖୋଲି,
କେତେପେଞ୍ଚ କାଢି ନଚେଇଲେ ମୋତେ ଥକିଗଲି ଚାଲିଚାଲି ।
ଗୋଡ଼ି ବାଲି ମାଟି ଲୁହା ସିମେଣ୍ଟରେ ମୋ ଚମଡ଼ା ହେଲାଟାଣ,
ଚାନ୍ଦା ଦେଇଦେଇ ଚୋର ଜଗିଜଗି ମରିମରି ଗଲା ମନ ।
ହାତ-ଓଠ ଧରି ବାବୁବାବୁ କହେ ଲେବର ଶୁଣନ୍ତି ନାହିଁ,
ଆୟୁଷ ଥିବାରୁ ବଞ୍ଚି ରହିଛି ମୁଁ ଶୂନ୍ୟ ଆକାଶକୁ ଚାହିଁ ।
#ସିଧାକଥା
