ଘୋଡା ମୁହାଁ
ଘୋଡା ମୁହାଁ
ଦିନେ ଜେଜେ ବାପା ହୋଇଲେ ଯେ ଖପା
ଲାଠି ଧରି ବାହାରିଲେ
ଦୁର୍ଭାଗ୍ୟ ବେଳରେ ଘୋଡା ମୁହାଁ ଜନ୍ମି
କ୍ରୋଧ ଦୁଇ ଗୁଣ କଲେ ।
ନମାନିଲେ ଗୁରୁ ଭାବି ମହା ଦାରୁ
ଯେସନେ ମାନ ଗୋବିନ୍ଦ
ଭାଷା ନବୁଝନ୍ତି କଥାକୁ ଚାଟନ୍ତି
ପକଟେ ଗୁଞ୍ଜିଲେ ଚାନ୍ଦ ।
ଟାଉଟର ପଣ ତନୁ ଆଭୂଷଣ
ଫେସନ ମାଙ୍କଡ ମୁହଁ
ଅଧା ଚିରା ଫଟା କେତେ ଯେ ରଫ ଟା
କାହାକୁ କହିବ କୁହ ।
ଗାଡି ଖଣ୍ଡେ ଚଢି ମାରି ଘଡ ଘଡି
ଚଳିଲା ସତେ କି ରେଳ
କିଏ ପୁଣି ଭାବେ ଯାଏ ଭାନୁ ରାଜ୍ୟେ
ବୁଡିଲା ଯେସନେ ବେଳ ।
ସ୍ତନ୍ୟ ପାନ ଦେଇ ମାତା ବଡ଼ କଲା
ଭାବି ସେ ଭବିଷ୍ୟ ନିଧି
ଛୋଟ ଡେଣା ଟାରେ ପର ଲାଗି ଗଲା
ବୁଲନ୍ତି ଯେ ଗଳି କନ୍ଦି ।
ଦାଣ୍ଡରେ ହାଟରେ ଝିଅ ବୋହୁ ଦେଖି
ସିଟି ବୋଝ ଦେଲେ ଝାଡି
ଘୋଡା ମୁହାଁ ବୋଲି ଜେଜେ ଗାଳି ଦେଇ
ଲାଠି ଧରି ଦେଲେ ତଡି ।
ଉଦ୍ଧତ ସନ୍ତାନ ହେଲେ ବଦନାମ
ନରଖିଲେ ପିତା ଟେକ
ଏପରି କୁପୁତ୍ର କୋଳକୁ କଳଙ୍କ
ମାଗି ଖାଅ ପଛେ ଭିକ ।
