Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଏତିକି ମାଗୁଣି ମୋର

ଏତିକି ମାଗୁଣି ମୋର

1 min
213



ଛୋଟ କଢିଟିଏ କରି ଗଢ଼ି ଅଛ 

ମୋତେ ହେ ପରମେଶ୍ବର

ରଙ୍ଗ ସୁରଭିକୁ ମେଲାଇ ମହକୁ 

ମୋ ଜୀବନ ନିରନ୍ତର

ଏତିକି ମାଗୁଣି ମୋର

ମୋ ଚଉପାଶକୁ ମହକାଇବାକୁ

ଲୟ ଥାଉ ଶ୍ରୀପୟର ।


ଭଲ ମଣିଷରେ ଗଣିତ ହେବାକୁ

ପ୍ରେରଣା ଉତ୍ସାହ ଭର

ଦୁଖୀରଙ୍କୀ ପାଇଁ ହୃଦ କାନ୍ଦୁଥାଉ

ମତି ଆନ ଉପକାର

ଏତିକି ମାଗୁଣି ମୋର

ସେବା ଜୀବନର ଶ୍ରେଷ୍ଠ ବ୍ରତ ହେଉ

ନଥାଉ ପର ଅପର ।


ସତ ପଥେ ଚାଲି ସତ କର୍ମ କରି

ସଭିଙ୍କୁ ଭାବି ନିଜର 

ଆପଣାପଣରେ ଛନ୍ଦି ରଖିବାକୁ

ମନ ଥାଉ ପରିଷ୍କାର

ଏତିକି ମାଗୁଣି ମୋର

ସଦ୍ଭାବନା ତୋଳି ଭ୍ରାତୃତ୍ବ ପ୍ରୀତିରେ

ବିଶ୍ବ ହେଉ ପରିବାର ।


ସକଳ ମନରୁ ଅମା ଅନ୍ଧକାର

କରି ଦେବା ପାଇଁ ଦୂର

ଦୀପକଟେ ସାଜି ଜଳି ରହିବାକୁ

ହୃଦୟକୁ ଦୃଢ଼ କର

ଏତିକି ମାଗୁଣି ମୋର

ସେଥିପାଇଁ ଯେତେ ଜ୍ଞାନ-ଧନ ଲୋଡ଼ା

ମୋହଠାରେ ଦାନ କର ।


ଛନ୍ଦ କପଟତା ଈର୍ଷା ଦ୍ବେଷ ହିଂସା

କରି ମନୁ ପରିହାର

ସୁନ୍ଦର ସୃଷ୍ଟିକୁ ସୁନ୍ଦରତା ଗୁଣେ

ଦେଖୁଥାଏ ନିରନ୍ତର

ଏତିକି ମାଗୁଣି ମୋର

ସୁଢ଼ଳ ସରଳ ଶାନ୍ତ ସ୍ବଭାବ

ବେଶରେ ଦିଶେ ସୁନ୍ଦର ।


ଗୁରୁଜନେ ଭକ୍ତି ଲଘୁଜନେ ପ୍ରୀତି

ଜୀବଠି ଦୟା ଆଦର

ବିପଦ ସଂକଟ ପଥେ ଉଭା ହେଲେ

ମନରେ ନଥାଉ ଡର

ଏତିକି ମାଗୁଣି ମୋର  

ସହନଶୀଳତା ଗୁଣରେ ପ୍ରଭୁ ହେ

ମୋତେ ଧରିତ୍ରୀଟେ କର ।


ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଯେତେ

ଅଛି ହୃଦୟେ ଯାହାର

ଗଢ଼ି ଦିଅ ମୋତେ ମହୌଷଧି ସାଜି

କରିବାକୁ ଉପଚାର

ଏତିକି ମାଗୁଣି ମୋର

ବିନୀତ ରହିବି ତୁମ ପଦ୍ମପାଦେ

ହେ ପ୍ରଭୁ ଜଗଦୀଶ୍ବର ।

 

ସପନକୁ ସଦା ପୂରା କରିବାକୁ

ସାଧନାରେ ଆଗୁସାର

ମୋର ପ୍ରସ୍ଫୁଟିତ ରୂପେ ଆକର୍ଷିତ

ରହୁ ନୟନ ଆନର

ଏତିକି ମାଗୁଣି ମୋର

ଶୁଭାଶିଷ ଢାଳି ପୂରାଇ ଅଞ୍ଜଳି

ଜନମ ସାର୍ଥକ କର ।


Rate this content
Log in

Similar oriya poem from Inspirational