କଳଙ୍କିନୀ
କଳଙ୍କିନୀ
ସମୟ ସ୍ରୋତରେ ଜୀବନର ଗତି
ଚାଲିଥାଏ ଧିରେ ଧିରେ,
ଉତ୍ଥାନ ପତନ ଲାଗି ରହିଥାଏ
ଶେଷ ହୁଏ ମରଣରେ |
ପୁରୁଷ ଓ ନାରୀ ପ୍ରକୃତି ରୂପରେ
ଦୁଇ ସୁବାସିତ ଫୁଲ,
ନିଜ କର୍ମେ ନିଜେ ବାସ ଚହଟାଇ
ଭୁଞ୍ଜୁଥାନ୍ତି ଭଲ ଫଳ |
ସମାଜରେ ଯେବେ ଭାବନାରେ ଘୁଣ
ଲାଗିଗଲା ଅତୀତରେ,
ପୁରୁଷ ପ୍ରାଧାନ୍ୟ ହେଲା ପରିବାର
ସନ୍ତୁଳନ ଗଲା ଦୂରେ |
ପୁରୁଷ ମନରେ ଘର କରିଗଲା
ନାରୀ ଜନ୍ମ ସେବା ପାଇଁ,
ନାରୀର ଜନମ ସାର୍ଥକ ହୁଅଇ
ପତି ପରାୟଣା ହୋଇ |
ସମାଜରେ ହୁଏ ପୁରୁଷ ଲମ୍ପଟ
ଦୋଷ ଧରା ଯାଏ ନାହିଁ,
କଳଙ୍କିନୀ ହୁଏ ନାରୀଟିଏ ପରା
ସାଧାରଣ ଦୋଷ ପାଇଁ |
ତ୍ରେତୟା ଯୁଗରେ ମିଥ୍ୟା ଅପବାଦେ
ସୀତା ହେଲେ କଳଙ୍କିନୀ,
ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି
ହେଲେ ସେ ବନବାସିନୀ |
ନାରୀର ଚରିତ୍ର ପୁରୁଷ ମାନେ ହିଁ
କରିଥାନ୍ତି ଅପବିତ୍ର,
ସେଇ ପୁରୁଷ ହିଁ କଳଙ୍କିନୀ କହେ
ଦେଇ ନାନା ଅପବାଦ |
ଦରିଦ୍ର କଷଣେ ହୁଏ ଯଦି ନାରୀ
ପ୍ରୀତି ଦାନେ ଦୋଚାରୁଣୀ,
ନଷ୍ଟ ପୁରୁଷର ଦୋଷ ହୁଏ ନାହିଁ
ନାରୀ ହୁଏ କଳଙ୍କିନୀ |
ଛଦ୍ମଵେଶେ ଇନ୍ଦ୍ର ହେଲେ ବ୍ୟଭିଚାରୀ
ନାରୀ ହେଲା କଳଙ୍କିନୀ,
ଋଷି ଗୌତମଙ୍କ ଅଭିଶାପେ ହେଲେ
ସତୀ ଅହଲ୍ୟା ପାଷାଣୀ |
ଉନ୍ମୁକ୍ତ ଯୌବନେ ମହିଷାସୁର କୁ
ବଧିଥିଲେ ଦେବୀ ଦୁର୍ଗା,
ଏହି ଦୃଷ୍ଟାନ୍ତ ଯେ ଲିଭାଇ ପାରନ୍ତା
ନାରୀ କଳଙ୍କର ଟୀକା |