ଅଭିନୟ
ଅଭିନୟ
ମୁଁ ତ ମାଗିଥିଲି ଟିକିଏ ବିଶ୍ବାସ
ତୁମେ ଦେଲ ବିଷଭରି
ସତ ଭାବିଥିଲି ତୁମ ପ୍ରେମ ବୋଲି
ଛଳନାରେ ଦେଲ ମାରି ।
ମରିବି ପାରୁନି ବଞ୍ଚିବି ପାରୁନି
କୋହ ବି ପାରୁନି ରୋକି
ଭଲପାଇବାର ଏକି ଫଳ କୁହ
ଲୁହ ଏକା ମୋର ସାକ୍ଷୀ ।
ତଥାବି ହାରିନି ହାରିବି ମୁଁ ନାହିଁ
ପାପ ମୁଁ କରିନି କିଛି
ଭୁଲକରିନାହିଁ ମୁଣ୍ଡ ନୋଇଁବିନି
ଚାଲିବି ଫୁଲାଇ ଛାତି ।
ହସଲାଗେ ଦେଖି ତୁମ ଅଭିନୟ
କେମିତି କର ଏମିତି
ଏବେ ଶିଖିଗଲି ଛଳନା ପ୍ରେମରେ
ମୁଁ ପୋଖତ ଅଭିନେତ୍ରୀ ।
ମିଛ ଅଭିନୟ କେତେ କର ତୁମେ
ମୁହଁରେ କପଟ ମୁଖା
ଉପରେ ଉପରେ ମିଛି ମିଛି ସ୍ନେହଁ
ଭିତରଟା ଖାଲି ଫମ୍ପା ।
ମୁଣ୍ଡ ଘୁରିଯାଏ ଦୁନିଆର ରୀତି
ବୋଧହୁଏ ଏଇ ପ୍ରେମ
ବଞ୍ଚିବାକୁ ହେଲେ ଅଭିନୟ ସାର
ଆଉସବୁ ଏକା ଭ୍ରମ ।
<
br>
ମୁଁ ଆଉ ଜମା ଖୋଜୁନି ତୁମକୁ
ସପନରେ ସତଘରେ
ଜାଣିଦେଲା ପରେ ବାହାନା ତୁମର
ଆଣୁନାହିଁ କଳ୍ପନାରେ ।
ମୋ ଦୁନିଆରେ ମୁଁ ସାଜେ ପରୀ
ଗଢେ ମୋ ସ୍ବପ୍ନମହଲ
ମୁଁ ପୁଣି ସାଜେ ମୋ ନାୟକ ପ୍ରେମର
ଏଇ ମୋ ଖୁସି ସଂସାର ।
କାହିଁ ମୁଁ ଧାଇଁବି ମିଛ ପ୍ରେମ ପଛେ
ନିଶ୍ବାସ ହୁଏ ମୋ ରୁନ୍ଧି
ଖୋଜି ଖୋଜି ବହୁ ପାଇଲି ଉତ୍ତର
ଏବେ ମୋ ପ୍ରେମେ ମୁଁ ଛନ୍ଦି ।
ମୋ ଠାରୁ ଆଉ କେ ହେବ କି ନିଜର
ମୋ ପରି କରିବ ପ୍ରେମ
ଅନ୍ୟର ପଛରେ ଆଉ ଧାଇଁବିନି
ମୁଁ ଏକା ଖାଲି ମୋର ।
ଅଭିନୟ ଏଇ ଦୁନିଆ ମଞ୍ଚରେ
ଶିଖିଗଲି ଅଭିନୟ
ହେ ଈଶ୍ବର ମୋତେ କ୍ଷମା କରିଦେବ
ଯଦିହୁଏ ସ୍ବାର୍ଥପର ।
ଲୋଡାନାହିଁ ମୋର ମିଛ ମିଛ ପ୍ରେମ
ହୃଦୟେ ଭରା କପଟ
ଐଶ୍ବରୀୟ ପ୍ରେମ ଛଳନା ରହିତ
ଦେଖାଏ ଶାନ୍ତିର ମାର୍ଗ ।