ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ ସଂସ୍କୃତି ବଞ୍ଚାଇ
ସଜାଏ ଯେ ଓଡ଼ିଆଣୀ,
ଓଡ଼ିଆ ଜାତିର ଗରବ ଏଇତ
ବଞ୍ଚାଇଛି ସିମନ୍ତିନୀ ।
ଲଜ୍ଜାବତୀ ସିଏ ପ୍ରୀତିମୟୀ ସିଏ
ମଧୁର କଅଁଳ ଭାଷ,
ଓଢଣା ଫାଙ୍କରେ ଚୋରା ଚାହାଣିରେ
ଢାଳିଦିଏ ପ୍ରୀତି ରସ ।
ପ୍ରିୟା ମୋ ସୁନ୍ଦର ହସିଦିଏ ଯେବେ
ସରୁ ଓଢଣାର ଧାରେ,
କେତେ ଯେ ମମତା ଝରିପଡ଼େ ସତେ
ସାଇତା ତା ହୃଦୟରେ ।
ଗଢିଛି ବିଧାତା ନାରୀକୁ ଜଗତେ
ଭରିଛି ଦେହେ ତା ଯାଦୁ,
ସମ୍ମୋହନେ ସିଏ ପରକୁ ଆପଣା
କରେ ତ୍ୟାଗ କରି ସବୁ ।
ଯେତେ ଦେଖିଲେ ବି ମନ ପୁରେ ନାହିଁ
ଲିଭେନି ପ୍ରୀତିର ନିଆଁ,
ଓଢଣା ତଳେ ସେ ଆହୁରି ସୁନ୍ଦର
ଲ
ାଗେ ସଦା ନୂଆ ନୂଆ ।
ବାହା ବେଦୀ ପରେ ଓଢଣା ଭିତରେ
ପାଇଲି ଯେବେ ପରଶ,
କଉଡ଼ି ଖେଳରେ ପ୍ରୀତି ଭରିଥିଲା
ମନେ ଭରି ନୂଆ ବାସ ।
ପ୍ରିୟା ର ଓଢଣୀ ଦେହେ ଭରିଦିଏ
ପିପାସିତ ତାରୁଣ୍ୟତା,
ଆନମନା ହୁଏ ନୀରବିତ ମନ
ସ୍ପର୍ଶ ପାଇଁ ବ୍ୟାକୁଳତା ।
ଗଭୀର ପ୍ରଣୟ ଭରି ରହିଥାଏ
ପ୍ରିୟାର ଓଢଣୀ ତଳେ,
ନଥାଏ ବିରହ ପ୍ରୀତି ଆସ୍ୱାଦନେ
ଅଧୀର କାମନା ଜଳେ ।
ମୋ ପ୍ରିୟା ଓଢଣୀ ସ୍ୱାଭିମାନ ତାର
ପରିଚୟ ବିବାହିତା,
ପାପ ନୟନରେ ଚାହିଁବେନି କେହି
ଅନ୍ୟର ସେ ବାଗଦତ୍ତା ।
ପ୍ରିୟାର ଓଢ଼ଣୀ ଖସିଯାଏ ଯେବେ
ଜିଭ ସେ କାମୁଡି ଦିଏ,
ଦେଖିଦେଲେ କେହି ଲଜ୍ଜା ଅବନତେ
ଓଢଣାକୁ ଢାଙ୍କିଦିଏ ।