Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nandini RayMohapatra

Others Fantasy

2  

Nandini RayMohapatra

Others Fantasy

ଏଣୁ ତେଣୁ

ଏଣୁ ତେଣୁ

2 mins
456



ସମୟର ଅଙ୍କା ବଙ୍କା ନଈଧାର, ସ୍ମୃତି ର ନଉକା, 

ନାଉରି ହେଉଛ ତୁମେ, ମୁଁ ତୁମ ନାୟିକା। 

ଚାତକୀର ଜହ୍ନ ତୁମେ, ତୁମେ କିଛି ଅବ୍ୟକ୍ତ ଭାଷା, 

ତୁମେ ସଧବାର ଓଷା। 

ବେଳେବେଳେ ଭାବେ, ମରୁଭୂମି ପରେ 

ତୁମ ହାତ ଧରି ଚାଲୁଥିବି ମୁଁ, 

ନଥିବେ କେହି…. 

ଖାଲି ତୁମେ, ମୁଁ ଆଉ ଆମ ଛାଇ 

ଆଉ ଅସୀମିତ ରାସ୍ତା। 

ଧୂ ଧୂ ଖରାବେଳେ, ଆମ୍ବ ଜାମୁ ଡାଳେ

କୋଇଲି ଗାଇଲେ, 

ଗୋଧୂଳିରେ ନାଲି ନେଳି ମୁରୁଜ ବିଞ୍ଚି ବିଞ୍ଚି 

ସୂରୁଜ ବୁଡ଼ିଲେ, 

ଏକା ଏକା ଲାଗେ, ଭାରି ଏକା ଏକା.. 

ତମ କଥା ଖୁବ୍ ମନେପଡ଼େ, 

ଆଉ ସବୁ ଲାଗେ ଫିକା ଫିକା। 

ଏମିତି କାହିଁକି ହୁଏ, ଉତ୍ତର ନାହିଁ ମୋ ପାଖେ, 

ବୋଧେ ତୁମ ପାଖେ ଥିବ, 

ଅଚାନକ ସ୍ପନ୍ଦନ ବଢ଼ିଯାଏ ମୋ ଛାତିର, 

କମ୍ପିଉଠେ ଓଠ,ଥରିଯାଏ ହାତ, ଯେବେ କେବେ ତୁମକୁ ମୁଁ ଦେଖେ। 


ଜାଣିଛ ?

ଇଚ୍ଛା ହୁଏ ମରିଯିବା ପାଇଁ, 

ହୁଏତ ମରିଗଲା ପରେ, ତୁମ ପାଖେ ସବୁବେଳେ ଥିବି ମୁଁ, 

ସତେ ତୁମ ଛାଇ। 

ସତରେ ମୁଁ ଯଦି ମରିଯାଏ, 

ଦ୍ଵିପ୍ରହରେ ତୁମେ ଯଦି କେବେ ଆସ ଆମ୍ବ ତୋଟା ଆଡ଼େ, 

ପାଇବ ମୋତେ.. 

ହୁଏତ ଦେଖି ନ ପାରିବ, ହେଲେ ମୋ ପାଉଁଜି ଆୱାଜ୍ ଶୁଭୁଥିବ ତୁମ ଚାରିକଡେ। 

ଗୁଣୁଗୁଣୁ ଗାଉଥିବି ମୁଁ, କେତେ ଯେ ବେସୁରା ଗୀତ, 

ହସୁଥିବି ମନ ଖୋଲି, ତୁମକୁ ଦେଖି। 

ଏଇ ତୁମେ କୁହ ତ… 

ମୁଁ କେମିତି ହସେ? 

ସତ କହିବ… 

ତୁମକୁ ମୋ ହସ ଭଲ ଲାଗେ ତ? 

ଯଦି ହଁ, ତାହେଲେ ତୁମେ ପ୍ରେମରେ ପଡ଼ିଯାଇଛ, 

ହୁଏତ ମୋର ନୂହେଁ,କିନ୍ତୁ ନିଶ୍ଚୟ ମୋ ହସ ର, 

ନିଶ୍ଚୟ ମୋ କଥା ଭାବୁଛ। 

ହେଇପାରେ ସବୁବେଳେ ନୂହେଁ,

କିନ୍ତୁ ବେଳେବେଳେ, 

ଯେବେ ସଞ୍ଜ ନଇଁ ଆସେ, ଯେବେ ଫୁଲ ଝଡ଼ିଯାଏ, 

ଯେବେ ଝାଞ୍ଜି ପବନ ବହିଯାଏ, 

ସେତେବେଳେ। 

ଓହୋ ! 

ତୁମେ ଠିକ୍ ମୋ ପରି ନାଁ? 

ମୋତେ ବି ଏକା ଏକା ଲାଗେ ଏଇ ସମୟ ରେ.. 

ଭାରି ମନେପଡ ତୁମେ.. 

ହୋଇଯାଅ କୋହ ମୋ ଛାତି ରେ। 

ଇଚ୍ଛା ହୁଏ, 

ଖୋଲା ପଡ଼ିଆରେ ତୁମ କୋଳେ ଶୋଇ, 

ମୁଁ ଦେଖୁଥାନ୍ତି ଆକାଶକୁ.. 

ପିଇଯାଆନ୍ତି ତା’ ର ସବୁ ନୀଳ ରଙ୍ଗ। 

ଚଢେଇଟେ ଉଡ଼ି ଯାଆନ୍ତି, 

ଆକାଶ ବୁକୁ ରେ ଡେଣା ପିଟି.. 

ତୁମକୁ ବି ଭଲ ଲାଗେ ନା ଉଡ଼ିବାକୁ? 

ମୋ ସାଥେ ପାଖାପାଖି, 

ଗୀତ ଗାଇବାକୁ.. କୁହୁକୁହୁ, 

ଚଞ୍ଚୁ ଘଷି ଏକା ଡାଳେ, 

ବସିବାକୁ ଜାକି ଜୁକି। 


ଆଚ୍ଛା! କହିଲ! 

ଏଇ ନିକଟରେ ଆସୁଛି କି ବସନ୍ତ? 

ଚୋରି ଚୋରି ମୋତେ ଛୁଉଁଚିକି ମଳୟ? 

ମୋତେ କାଇଁ ଇଚ୍ଛା ହେଉଛି ଖେଳିବାକୁ ହୋଲି, 

ତୁମ ସାଥେ, ଏକଲା.. ନଈପଠାରେ… 

ମଳୟଟା ଭାରି ଦୁଷ୍ଟ ନାଁ, ମନକୁ ଉଚ୍ଚାଟ କରେ। 

ଏଣୁତେଣୁ କଥା ମୁଣ୍ଡରେ ଭରିଦିଏ,

ମୋତେ ପଚାରିବନି, ମୋତେ ଲାଜ ଲାଗୁଚି କହିବାକୁ, 

ଏଇ ମୋ ଆଡ଼େ କାହିଁକି ଚାହୁଁଛ ବାରମ୍ବାର! 

ମୁଁ ମରିଯିବି ଲାଜରେ.. 

ସତ କହୁଛି କହିପାରିବିନି.. 


ଆଚ୍ଛା କହିଲ…. 

ତୁମକୁ ଏମିତି କିଛି ଲାଗୁଛି କି?

ନାଁ ବସନ୍ତ ଟା ଏକା ମୋ ସହ ଖେଳୁଛି? 

ଆରେ ଆରେ.. ମୁଁ କେଡ଼େ ବୋକୀ ଟା.. 

ଏକା ଏକା ବସି କେତେ କଣ କହି ଯାଉଛି। 

ତୁମେ ରାଗିବନି, ମୋ କଥା ଶୁଣିକି, 

ମୁଁ ଟିକେ ପାଗଳି ଟା, ଟିକେ ବୋକୀ। 

ବିରକ୍ତ ହେଲକି?

ନାଁ ମ! ତୁମେ କାହିଁକି ରାଗିବ ଯେ, 

ତୁମେ ବି ତ ଭଲପାଅ, ମୋ ହସକୁ, 

ମୋ କଥାକୁ… 

ହଉ ହଉ ଏତିକି ଥାଉ ଆଜି ପାଇଁ, 

ମୁଁ ଯାଉଛି.. କାଲି ଗପିବି, 

ଛାଇ ସହ, କୋଇଲି ସହ, ମଳୟ ସହ 

ତୁମ ସ୍ମୃତି ନେଇ। 



Rate this content
Log in