ମା ଆଉ ଶୀତ ରାତି
ମା ଆଉ ଶୀତ ରାତି
ଅସହାୟ ଭାବେ ଲମ୍ବିଛି ସଡ଼କ, ଶୋଇଛି ଅଳସ ରାତି,
ଶୀତ ରେ ଥରୁଛି ଦେହ ଟା ଏପଟେ, ବଢୁଛି ପେଟ ର ତାତି।
ଏ କି ନ୍ୟାୟ ବିଧାତା ର ;
କିଏ ସେ ଫିଙ୍ଗୁଛି ପୁଳା ପୁଳା ଖାଦ୍ୟ,
ଅନ୍ନ ପାଇଁ କେ ଆତୁର।
ତା ମୁଣ୍ଡ ଉପରେ ଛାତ କି ଛପର, ସତେ କି ସାତ ସପନ,
ମରଣ ଖେଳୁଛି ଲୁଚକାଳି ଆଉ ଜୀବନ ବି ହୀନିମାନ।
ଏ ବୋଧେ ସମାଜ ରୀତି ;
ବନ୍ଦ ଦୋକାନ ର ଭଙ୍ଗା ପାହାଚରେ
ଯାଉ ଏ ରାତି ଟା ବିତି।
କୋଟରଗତ ତା ଶୁଷ୍କ ଆଖି ରେ ଅମାପ ଶୂନ୍ୟତା ଭରା,
ତା କାନ୍ଧ ଉପରେ ଶୋଇଛି ତା ଛୁଆ, କାନ୍ଦି କାନ୍ଦି ଏବେ ପରା।
ଆଉଁସି ଦିଏ ସେ ମୁଣ୍ଡ ;
କଅଁଳ ଶିଶୁ ର କେଉଁ ପାପ ପାଇଁ
ଦିଅ ପ୍ରଭୁ ଏତେ ଦଣ୍ଡ।
ଫୁଙ୍ଗୁଳା ଛାତି ର ପିଞ୍ଜରା ଭିତରେ, ଜମାଟ ବାନ୍ଧିଛି କୋହ,
ଶୁଖିଛି ତା ବକ୍ଷ ଅମୃତ ର ଧାର, ଶୁଖିଛି ଆଖି ର ଲୁହ।
ହେଲେ ସିଏ ପରା ମା ;
ତା ବୁକୁ ତଳର ସ୍ନେହ ଫଲଗୁ ରେ
ଭିଜୁଛି ତାହାରି ଛୁଆ।
ମାଘମାସ ରାତି, ବାଘୁଆ ଶୀତ ଟା ଭାଙ୍ଗି ପାରିନି ତା ଦମ୍ଭ,
ଏବେ ବି ହାରିନି ମା ର ମମତା, ସତେ କି ଅରୁଣ ସ୍ତମ୍ଭ।
ଆସୁ ଯେତେ ଝଞ୍ଜା ଝଡ଼ ;
ତା ଛିଣ୍ଡା ପଣତ, ନୀଳଚକ୍ର ନେତ
ଶହେ ପାଟ ଠାରୁ ବଡ଼।
ଆଉ ଟିକେ ଜାକି ଛାତି ରେ ଛୁଆ କୁ, ବସିଛି ଧରି ସାହସ,
ଜିଇଁଛି, ଜିଇଁବ ଜୀବନ ଏମିତି, ନାହିଁ କିଛି ଅବଶୋଷ।
ଆସୁ ଯେତେ ବାଧା ଦୁଃଖ ;
ଲଢିଛି, ଲଢୁଛି, ଲଢୁଥିବ ନିତି
ନ ମିଳୁ ପଛକେ ସୁଖ।
ଜୀବନ ଟା ଗୋଟେ ଏମିତିକା ଯାତ୍ରା, ଚାଲିବାକୁ ହୋଇଥାଏ,
ଇଚ୍ଛା ଥାଉ କି ଅନିଚ୍ଛା ପଛକେ, ଏଠୁ କି ବାହାରି ହୁଏ?
ଗଢିଛି ଦଇବ ମା ;
ଯେତେ ବାତ୍ୟା ଆସୁ, ଆସୁ ବି ତୋଫାନ
ବାହି ନେବ ସିଏ ନା।
ଶୀତ ଆଉ ଭୋକ, ହଲେଇ ପାରିନି କେବେ ତା ମନ ଦୃଢ଼ତା,
ନଥାଉ ପୋଷାକ, ନଥାଉ ଘର, ଥାଉ ଯେତେ ବି ଦୀନତା।
ପଥରେ ପଡ଼ିଲେ ଝୁଣ୍ଟି ;
ନ ହାରି, ନ ଡରି, ନିଷ୍ଠୁର ଭାଗ୍ୟ କୁ
ଚାଲିବ ପୁଣି ସେ ଉଠି।
:ନନ୍ଦିନୀ ରାୟ ମହାପାତ୍ର ।
